କନକ ବ୍ୟୁରୋ : ଖୋର୍ଦ୍ଧାରେ ଥିବା ସତାଧିକ କ୍ରସର ଶିଳ୍ପାନୁଷ୍ଠାନରୁ ହେଉଥିବା ପ୍ରଦୃଷଣକୁ ନେଇ ଏବେ ଚିନ୍ତାରେ ସହର ବାସିନ୍ଦା । କ୍ରସରରୁ ବାହାରୁଥିବା ଧୂଳି ରାସ୍ତାରେ କୁହୁଡିର ଭ୍ରମ ସୃଷ୍ଟି କରୁଛି । ଏହାର ପ୍ରଭାବ ଏବେ ଖୋର୍ଦ୍ଧା ଉପରେ ପଡୁଥିବାରୁ ଏଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି । ରାଜ୍ୟ ପ୍ରଦୂଷଣ ବିଭାଗ କରିଥିବା ସମସ୍ତ ନିୟମକୁ ଫୁ କରି ଚାଲିଛି କ୍ରସର । ସେପଟେ ଏହାକୁ ରୋକିବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ସହିତ କ୍ରସର ସିଲ କରିବ ବୋଲି କହିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ ।

Advertisment

ସହର ପାଖରେ ଗଢ଼ିଉଠିଛି କ୍ରସର ଶିଳ୍ପ । ନିକଟରେ ଶ୍ରୀଜଗନ୍ନାଥ ଓ ରାଜ୍ୟ ସରକାରଙ୍କ ଅନେକ କଳା ମୁଗୁନି ପଥର ପାହାଡ ନିଲାମ ଦିଆଯାଇଛି । ପାହାଡ଼ ପାଖରେ ଶତାଧିକ କ୍ରସର ଶିଳ୍ପ ସ୍ଥାପନ ହୋଇଛି । ଏସବୁ ଚାଲିବା ନେଇ ରାଜ୍ୟ ପ୍ରଦୂଷଣ ବିଭାଗ ଅନେକ ଆଇନ୍ କାନୁନ୍ କରିଛି । ଆଇନ ଆଖିରେ ଧୂଳି ଦେଇ ଚାଲିଛି କ୍ରସର ଶିଳ୍ପ । ଫଳରେ ୧୬ ନଂ ଜାତୀୟ ରାଜପଥରେ କୁହୁଡିର ଭ୍ରମ ସୃଷ୍ଟି କରୁଛି ଧୂଳି ଆଉ ଧୂଆଁ । ପ୍ରଦୂଷଣ ବଳୟରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ ।

ଖୋର୍ଦ୍ଧା ଜିଲ୍ଲାରେ ୪ଶହ କ୍ରସର ରହିଛି । କ୍ରସର ଶିଳ୍ପ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ଅନେକ ଗାଇଡ଼ଲାଇନ୍ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମଟି ହେଉଛି, କ୍ରସର ଚାଲିବା ସମୟରେ ପାଣି ଛିଞ୍ଚନ କରିବା । ହେଲେ କ୍ରସର ମାଲିକମାନେ ସରକାରୀ ନିୟମ ପାଳନ କରୁନଥିବା ଅଭିଯୋଗ ହୋଇଛି । ସେପଟେ କ୍ରସର ମାଲିକମାନେ କହିଛନ୍ତି, ତାପଙ୍ଗରେ ପାଣିର ସମସ୍ୟା ଥିବାରୁ କ୍ରସର ଚାଲିବା ବେଳେ ପାଣି ପକାଇବାରେ ବଡ଼ ସମସ୍ୟା ହେଉଛି । ପାଣି ଯୋଗାଣ ବ୍ୟବସ୍ଥା ହେଲେ ପ୍ରଦୂଷଣ ମାତ୍ରା କମିପାରନ୍ତା । ସେପଟେ ଖୋର୍ଦ୍ଧା ଉପଜିଲ୍ଲାପାଳ କହିଛନ୍ତି, ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି କ୍ରସର ଉପରେ ଚଢ଼ାଉ କରାଯିବ ।