କନକ ବ୍ୟୁରୋ: ଚଷା ଓ ଚାଷୀଙ୍କ ଅଂଚଳ ଖୋର୍ଦ୍ଧା। ଚାଷକୁ ବର୍ଷ ତମାମ ଜଳ ଯୋଗାଇବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ରାମେଶ୍ୱର ଠାରେ ମଲାଗୁଣି ବ୍ୟାରେଜ କରିଥିଲେ। କେନାଲ ମାଧ୍ୟମରେ ଖୋର୍ଦ୍ଧା ସମେତ ନୟାଗଡ଼ ଓ ପୁରୀ ଜିଲ୍ଲାର ଅନେକ ଅଂଚଳର ଚାଷ ଜମି ଜଳସେଚିତ ହେଉଥିଲା। ହେଲେ ଏବେ ଖୁଦ୍ର ଜଳସେଚନ ବିଭାଗ ଜାଣିଶୁଣି ଏକ ପ୍ରକାର କୁତ୍ରିମ ବିପର୍ୟ୍ୟୟ ସୃଷ୍ଟି କରିଥିବା ଚାଷୀ ଅଭିଯୋଗ କରିଛନ୍ତି।

ବର୍ଷା ଦିନେ ଶୁଖିଲା ପଡ଼ିଛି ମଲାଗୁଣି ନଦୀ। ବ୍ୟାରେଜର ଖୋଲା ଅଛି ଗେଟ। ତଳମୁଣ୍ଡକୁ ପାଣି ବହି ଯାଉଛି। ଏପଟେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। କାରଣ ଏବେ ନା ବ୍ୟାରେଜରେ ପାଣି ରହୁଛି, ନା କେନାଲ ଯୋଗେ ଜମିକୁ ମାଡୁଛି। ଉଭୟ ଶୁଖିଲା ପଡିଛି। ୧୯୮୧ରେ ମଲାଗୁଣି ନଦୀ ଉପରେ ମଲାଗୁଣି ବ୍ୟାରେଜ ହୋଇଥିଲା। ବ୍ୟାରେଜରେ ପାଣି ସଂରକ୍ଷଣ ପାଇଁ ୯ଟି ଗେଟ୍ ରହିଛି। ଦୁଇଟି କେନାଲ ଯୋଗେ ଚାଷ ଜମିକୁ ପାଣି ଛଡ଼ା ଯାଉଥିଲା। ଚାଷୀ ଦୁଇ ତିନି ଫସଲି କରି ଲାଭବାନ ହେଉଥିଲେ। ହେଲେ ଗତ କିଛି ବର୍ଷ ହେବ ଖୁଦ୍ର ଜଳସେଚନ ବିଭାଗ କୁତ୍ରିମ ବିପର୍ୟ୍ୟୟ ସୃଷ୍ଟି କରିଥିବା ଚାଷୀ ଅଭିଯୋଗ କରିଛନ୍ତି।

ବର୍ଷା ଦିନେ ବ୍ୟାରେଜ କାମ କରିବାକୁ ବାହାରିଛି କ୍ଷୁଦ୍ରଜଳସେଚନ ବିଭାଗ। ୩ ବର୍ଷ ତଳେ ବ୍ୟାରେଜର ୫ ନଂ ଗେଟ୍ ଖସି ପଡ଼ିଥିଲା। ପରେ ନୂଆ ଏକ ଗେଟ ଲଗାଯାଇଥିଲେ। ଗତ ବର୍ଷାରେ ସେହି ଗେଟଟି ଭାସି ଯାଇଛି। ପାଣି ସବୁ ବହି ଯାଉଛି, ତେଣୁ ଚାଷ ପ୍ରଭାବିତ ହେଉଛି। ସେପଟେ ବାଲି ବସ୍ତା ପକାଇ ପାଣି ଅଟକାଇବାକୁ ଯୋଜନା କରୁଛି ବିଭାଗ। ଯେଉଁଠି ଲୁହା ଗେଟ ଭାସି ଯାଉଛି ସେଠି ବାଲିବସ୍ତା କେମିତି ପାଣି ଅଟକାଇବ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି।

ବିଭାଗୀୟ ଅଧିକାରୀ କହିଛନ୍ତି, ମଲାଗୁଣି ବ୍ୟାରେଜରେ ୯ଟି ନୂଆ ଗେଟ୍ ଲଗାଯିବ। ଏଥିପାଇଁ ୧୧ କୋଟି ୮୦ ଲକ୍ଷ ଟଙ୍କାର ବ୍ୟବବରାଦ କରାଯାଇଛି। ଟେଣ୍ଡର ସରିଛି। ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପାଣି ଚାଲିଥିବାରୁ ଏବେ ସମ୍ଭବ ହୋଇପାରିନି। ତେବେ ଏଠି ପ୍ରଶ୍ନ ଉଠୁଛି, ବର୍ଷା ଦିନେ, ଗେଟ୍ ଲଗାଇବାକୁ ବ୍ୟବସ୍ଥା କରୁଥିବା ବିଭାଗ ଖରାଦିନେ କରୁଥିଲା କ’ଣ? ନା ବର୍ଷା ଦିନ କେବେ ଆସିବ ତାହା ତାଙ୍କୁ ଜଣାନଥିଲା?