କନକ ବ୍ୟୁରୋ: ଖୋର୍ଦ୍ଧା କହିଲେ ମନକୁ ଆସେ ଲାଲ୍‌ ଗାମୁଛା । ଖାସ୍‌ ବୁଣାକାରଙ୍କ ପାଇଁ ଖୋର୍ଦ୍ଧା ଗାମୁଛା ବେଶ୍‌ ଆଦୃତି ଲାଭ କରିଛି । ଶ୍ରମିକଙ୍କ ଠାରୁ ଆରମ୍ଭ କରି ଉଚ୍ଚର ବର୍ଗ ଲୋକ ମଧ୍ୟ ଖୋର୍ଦ୍ଧା ଗାମୁଛା ବ୍ୟବହାର କରନ୍ତି । ଯଦିଓ ଲାଭ କମ୍‌ ଥିବାରୁ ବୁଣାକାର ଧୀରେ ଧୀରେ ମୁହଁ ଫେରାଇନେଲେଣି, ତଥାପି କମିନି ଖୋର୍ଦ୍ଧା ଗାମୁଛାର ଲୋକପ୍ରିୟତା । 

Advertisment

ଖୋର୍ଦ୍ଧାଗଡ଼ ବୀରତ୍ବ ପାଇଁ ଯେତିକି ପରିଚିତ, ଲାଲ ଗାମୁଛା ପାଇଁ ମଧ୍ୟ ସେତିକି ଜଣାଶୁଣା । ଲାଲ ମାଟିର ଏହି ଲାଲ ଗାମୁଛା ଖୋର୍ଦ୍ଧା ଗାମୁଛା ଭାବେ ସାରା ଦେଶରେ ପ୍ରସିଦ୍ଧ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ; ଯେଉଁଠି ଦେଖିବେ ସବୁଠି ରହିଛି ଖୋର୍ଦ୍ଧା ଗାମୁଛାର ଚାହିଦା । କୁହାଯାଏ ୧୯୫୦ରୁ ଗଣପତି ରାମଙ୍କ ଉଦ୍ୟମରେ ପ୍ରଥମେ ଗାମୁଛା ତିଆରି ଆରମ୍ଭ ହୋଇଥିଲା । ସମୟକ୍ରମେ ଜିଲ୍ଲାର ଅନ୍ୟ ବୁଣାକାର ମାନେ ବୁଣିବା ଆରମ୍ଭ କରିବା ପରେ ଏହା ଖୋର୍ଦ୍ଧା ଗାମୁଛା ଭାବରେ ପରିଚୟ ପାଇଲା । 

ଏହାର ରଙ୍ଗ ଓ ମାନ ଭଲ ଥିବାରୁ ଗ୍ରାହକଙ୍କ ଚାହିଦା ରହିଛି । ୨୦ ନମ୍ବର ସୂତାରେ ତିଆରି ହେଉଥିବାରୁ ବ୍ୟବହାର ପାଇଁ ଭଲ । ପୂର୍ବରୁ କାରିଗର ମାନେ ନିଜେ ରଙ୍ଗ କରି ସୂତାକୁ ନଳୀ ବବିନ୍‌ରେ ଗୁଡ଼ାଇ ତାକୁ ବିମ୍‌ ପ୍ରସ୍ତୁତ କରି ତନ୍ତରେ ଲଗାଇ ବୁଣୁଥିଲେ। ଏବେ ମେସିନ୍ ସାହାଯ୍ୟରେ ଲୁଗା ବୁଣି ଭଲ ରୋଜଗାର କରିପାରୁଛନ୍ତି ବୁଣାକାର । ୩, ୪ ଓ ୫ ହାତିଆ ଲମ୍ବର ରହିଛି ଖୋର୍ଦ୍ଧା ଗାମୁଛା । ଗାମୁଛାର ଦର ୪୦ ଟଙ୍କାରୁ ଆରମ୍ଭ କରି ୧୨୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସାଧାରଣ ଲୋକଙ୍କ ସହିତ ଉଚ୍ଚ ବର୍ଗର ଲୋକ ମଧ୍ୟ ବ୍ୟବହାର କରନ୍ତି ଏହି ଗାମୁଛା । କେବଳ ଓଡ଼ିଶା ନୁହେଁ କଲିକତା, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶର ବିଭିନ୍ନ ବଜାରରେ ଖୋର୍ଦ୍ଧା ଗାମୁଛାର ବେଶ୍ ଚାହିଦା ରହିଛି ।