କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ଚାକିରି ଅପେକ୍ଷା ଉନ୍ନତ ପ୍ରଣାଳୀରେ ଚାଷ କରିବାକୁ ଅନେକ ଲୋକ ପସନ୍ଦ କରୁଛନ୍ତି । ତେବେ ଘାସ ଚାଷ କରି ଯେ ଭଲ ରୋଜଗାର କରିହେବ ଏକଥା କେହି କେବେ ବି ଭାବି ନଥିବେ । ହଁ ଆଜ୍ଞା, ଏହା କୌଣସି ଅଦରକାରୀ ଘାସ ନୁହେଁ । ଘର ସାଜସଜା, ଫ୍ଲୋର ମ୍ୟାଟ ଓ ଖେଳପଡ଼ିଆରେ ପଡ଼ୁଥିବା ମୁଲ୍ୟବାନ ଘାସ ଚାଷ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସିମୋର ଗାଁର ଶଳା ଭିଣୋଇ । ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

ଚାରିଆଡ଼େ ସବୁଜିମା ପରିବେଶ । ସୌନ୍ଦର୍ୟ୍ୟକରଣର ମୁଖ୍ୟ ଆୟୁଧ ପାଲଟିଛି ଘାସ । ଆଜିକାଲି ଲୋକମାନେ ଘର ସଜାଇବା ପାଇଁ ହେଉ ଅବା ବଗିଚାରେ ଘାସ ଗାଲିଚା । କିମ୍ବା ପାର୍କରେ ବ୍ୟବହାର ପାଇଁ ଘାସର ଆବଶ୍ୟକତା ପଡ଼ିଥାଏ । ବିଶେଷକରି ଖେଳ ପଡ଼ିଆରେ ଲନ୍ ଘାସର ବ୍ୟବହାର କରାଯାଉଛି । ଲୋକଙ୍କ ଆବଶ୍ୟକତା ଓ ବଜାର ଚାହିଦାକୁ ନଜରରେ ରଖି ଘାସ ଚାଷ ଭଳି ସୁନ୍ଦର ଉପାୟ ବାଛିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସିମୋର ଗାଁର ନବକିଶୋର ଖୁଣ୍ଟିଆ ଓ ସୁଶାନ୍ତ ସାହୁ । ଦୁହେଁ ସମ୍ପର୍କରେ ଶଳା- ଭିଣୋଇ । ଏହି ଘାସର ନାଁ ‘ଜୟସିୟା’ । ୨୦୦୭ରୁ ଘାସଚାଷ କରୁଛନ୍ତି । ଘାସଚାଷ କରି ଦୁହେଁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ସ୍କୋୟାର ଫୁଟ୍‌କୁ ୧୦ରୁ ୧୨ ଟଙ୍କାରେ ବିକ୍ରି ହୁଏ ଏହି ଘାସ । ଏକ ହଜାର ସ୍କୋୟାର ଫୁଟ୍‌ ଚାଷ କଲେ ୫ରୁ ୭ ହଜାର ଟଙ୍କା ଖର୍ଚ୍ଚ ହୁଏ ।

ପଡ଼ିଆ ଜମିରେ ଘାସ ଚାଷ କରି ଭଲ ରୋଜଗାର କରୁଛନ୍ତି । ଦୁହେଁ ରୋଜଗାର କରିବା ସହ ୧୦ରୁ ୧୨ଟି ପରିବାରକୁ ରୋଜଗାର ଦେଇଛନ୍ତି । ସ୍ଥାନୀୟ ଅଂଚଳରେ ଏଭଳି ଚାଷ ନୂଆ ହୋଇଥିବାରୁ ଏହାର ପ୍ରଣାଳି ଜାଣିବା ପାଇଁ ତାଙ୍କ ଜମିରେ ଲୋକଙ୍କ ଭିଡ଼ ଜମୁଛି । ୬ ଏକର ଘାସ ଚାଷ କରିଛନ୍ତି ନବକିଶୋର ଓ ସୁଶାନ୍ତ। ଯେଉଁ ଘାସ କି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ରି ହେଉଛି । ରାଜ୍ୟ ବାହାରକୁ ରପ୍ତାନୀ କରାଯାଉଛି । ବିଭିନ୍ନ ପ୍ରକାର ସୌନ୍ଦର୍ୟ୍ୟକରଣ କାମରେ ଲାଗୁଛି ତାଙ୍କ ଫାର୍ମର ଘାସ ।

ନବକିଶୋରଙ୍କ ଶ୍ୱଶୁର ବୈକୁଣ୍ଠନାଥ ସେକ୍ରେଟାରିଏଟରେ ମାଳି ଭାବେ ଚାକିରି କରୁଥିଲେ । ସେଠାରୁ କିଛି ଘାସ ଆଣି ତାଙ୍କ ବାଡ଼ିରେ ଲଗାଇଥିଲେ । ଆଉ ଏହି ଚାଷ ଆଧିକ ପରିମାଣର କରିବାକୁ ତାଙ୍କ ଜ୍ୱାଇଁ ଓ ପୁଅଙ୍କୁ କହିବା ପରେ ସେମାନେ ୬ ଏକର ଜମିରେ ଏହି ଚାଷ କରି ଏହାକୁ ରୋଜଗାରର ମାଧ୍ୟମ କରିଛନ୍ତି । ଆଧୁନିକ ଜ୍ଞାନ କୌଶଳ ଉପଯୋଗ କରି ଉଭୟ ଶଳା ଓ ଭିଣୋଇ କରିଥିବା ଏଭଳି ନିଆରା ଚାଷ ପ୍ରଣାଳୀ ଅନ୍ୟମାନଙ୍କୁ ଆକୃଷ୍ଠ କରୁଛି ।