କନକ ବ୍ୟୁରୋ: ସ୍ବାଧିନତା ସଂଗ୍ରାମରେ ଖୋର୍ଦ୍ଧା ପଞ୍ଚ ପାଇକଙ୍କ ସ୍ଥାନ ସ୍ବତନ୍ତ୍ର। ଓଡିଆ ଜାତିର ଅସ୍ମିତା ପଞ୍ଚ ପାଇକଙ୍କ ପୀଠ। ଯାହା ଆଜି ଅବହେଳିତ ଅବସ୍ଥାରେ। ଗତ ବର୍ଷ ୧୬ନଂ ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ଗଡଖୋର୍ଦ୍ଧା ଛକରୁ ଶହେ ମିଟର ଦୂରକୁ ସ୍ଥାନାନ୍ତରିତ କରାଯାଇଛି। ପଞ୍ଚ ପାଇକଙ୍କୁ ସ୍ଥାନାନ୍ତରିତ କରିବା ପରେ ସୌନ୍ଦର୍ୟ୍ୟକରଣ ପାଇଁ ଭୁଲି ଯାଇଛନ୍ତି ସରକାର।
ସ୍ୱାଧୀନତା ସଂଗ୍ରାମରେ ଖୋର୍ଦ୍ଧା ପାଇକ ବୀରଙ୍କ ସ୍ୱତନ୍ତ୍ର ଅବଦାନ ରହିଛି। ଶେଷ ସ୍ୱାଧୀନ ଦୁର୍ଗ ଭାବେ ପରିଚିତ ଖୋର୍ଦ୍ଧାଗଡ଼। ଯେଉଁ ପାଇକ ବୀରଙ୍କ ବଳିଦାନ ଆଉ ସଂଗ୍ରାମ ବଳରେ ଦେଶରେ ଆରମ୍ଭ ହୋଇଥିଲା ଇଂରେଜଙ୍କ ବିରୋଧରେ ପ୍ରଥମ ସଂଗ୍ରାମ। ସେମାନଙ୍କ ବଳିଦାନକୁ ସ୍ମରଣ ପାଇଁ ଖୋର୍ଦ୍ଧାଗଡ଼ ରାସ୍ତାରେ ନିର୍ମାଣ ହୋଇଥିଲା ପଞ୍ଚ ପାଇକଙ୍କ ମୃର୍ତ୍ତି। ଏବେ ଏହି ପୀଠକୁ ଦେଖିଲେ ଓଡିଆ ଅସ୍ମିତା ପ୍ରତି କୁଠାରଘାତ ପରି ଲାଗୁଛି ।
ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ପଞ୍ଚ ପାଇକଙ୍କ ମୂର୍ତ୍ତିକୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ସ୍ଥାପିତ ସ୍ଥାନ ଠାରୁ ୧୦୦ ମିଟର ଦୂରରେ ବସାଯାଇଛି। ସେହି ସ୍ଥାନର ସୌନ୍ଦର୍ୟ୍ୟକରଣ ହୋଇନାହିଁ। ଗୋରା ସରକାରଙ୍କ ଅନ୍ଧାରୀ ଶାସନ ବିରୋଧରେ ଲଢ଼େଇ କରିଥିବା ବୀରଙ୍କ ପୀଠ ଏବେ ଅନ୍ଧାରରେ। ସଂଧ୍ୟା ହେଲେ ଘୋଟି ଯାଉଛି ଘନ ଅନ୍ଧାର। କେବଳ ଆଲୋକ ବ୍ୟବସ୍ଥା ନୁହେଁ, ଦେଖଣାହାରୀଙ୍କ ବସିବା ପାଇଁ ବି କୌଣସି ବ୍ୟବସ୍ଥା ନାହିଁ। ଫଳରେ ମୁହଁ ଫେରାଇ ନେଉଛନ୍ତି ଇତିହାସକୁ ମନେ ପକାଇ ଆସୁଥିବା ପର୍ୟ୍ୟଟକ।
ପାଚେରି ଗୋଟିଏ ପଟ ଭୁଷିଡିଲାଣି। ଚାରିଆଡ଼େ ଅଳିଆ ଆବର୍ଜନା ପଡିରହିଛି। ଜନ୍ମ ଜୟନ୍ତୀ ଆସିଲେ, ବର୍ଷକୁ ଥରେ ମନେପଡ଼େ,ଏହି ବୀର ପାଇକଙ୍କ କଥା। ସଂପୂର୍ଣ୍ଣ ସ୍ଥିତିକୁ ଦେଖିଲେ ମନରେ ଅନେକ ପ୍ରଶ୍ନ ଉଠେ..
କିଏ କରିବ ଏହି ପୀଠର ବିକାଶ ?
ସ୍ଥାନାନ୍ତରିତ କରିଥିବା ଜାତୀୟ ରାଜପଥ କର୍ତ୍ତୃପକ୍ଷ ନା ଜିଲା ସଂସ୍କୃତି ବିଭାଗ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/15/a4T6TVOGe2ygDZjpsHlU.png)