କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନରେ ଭୋଜପୁରୀ ବେଲ୍ଟ କୁହାଯାଉଥିବା ଛପରା ବିଧାନସଭା ଆସନରେ ଜୋରଦାର ଟକ୍କର ଦେଖିବାକୁ ମିଳିବ । ଏହି ଆସନରୁ ଆରଜେଡି ଭୋଜପୁରୀ ସିନେ ଜଗତର ଲୋକପ୍ରିୟ ନାୟକ ଖେସାରୀଲା ଯାଦବଙ୍କ ପତ୍ନୀ ଚନ୍ଦା ଦେବୀଙ୍କୁ ମଇଦାନକୁ ଓହ୍ଲାଇଛି । କିଛିଦିନ ପୂର୍ବରୁ ଖେସାରୀଲାଲ ତେଜସ୍ୱୀ ଯାଦବଙ୍କୁ ଭେଟିଥିଲେ । ସେପଟେ ବିଜେପି ଏହି ଆସନରୁ ସ୍ଥାନୀୟ ନେତ୍ରୀ ଛୋଟି କୁମାରୀଙ୍କୁ ଟିକେଟ୍ ଦେଇଛି ।
ବିଜେପି ପ୍ରାର୍ଥୀ ଛୋଟି କୁମାରୀ ସାରଣ ଜିଲ୍ଲା ଛପରା ବିଧାନସଭା କ୍ଷେତ୍ରର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରହିଛନ୍ତି । ବିଜେପି ବର୍ତ୍ତମାନର ବିଧାୟକ ସିଏନ୍ ଗୁପ୍ତାଙ୍କ ଟିକେଟ୍ କାଟି ଛୋଟି କୁମାରୀଙ୍କୁ ଦେଇଛି । ତାଙ୍କୁ ଟକ୍କର ଦେବେ ଭୋଜପୁରୀ ଷ୍ଟାର ଖେସାରୀଲାଲ ଯାଦବଙ୍କ ପତ୍ନୀ ଚନ୍ଦା ଦେବୀ । ଖେସାରୀଲାଲଙ୍କ ପରିବାର ଛପରାର ବାସିନ୍ଦା । ଏହି କାରଣରୁ ଚଳିତ ନିର୍ବାଚନରେ ଖେସାରୀଲାଲଙ୍କ ଲୋକପ୍ରିୟତାର ଟେଷ୍ଟ ହେବାକୁ ଯାଉଛି ।
ଏକ ସଭାରେ ଖେସାରୀଲାଲ କହିଛନ୍ତି କି, ବିହାର ପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ । ମୋ ପତ୍ନୀ ଜଣେ ଗୃହିଣୀ ଓ ଦୁଇଟି ପିଲାର ମାଆ ହୋଇଥିବାରୁ ତାଙ୍କୁ ପ୍ରଚାର ପାଇଁ ସମୟ ଦେବା କଷ୍ଟକର ହୋଇପାରେ । ମୋ ପତ୍ନୀ ପରିବାର ଚଳାଇବାରେ କୌଣସି ଅବହେଳା କରିନଥିବାରୁ ରାଜନୀତିକୁ ଆସି ଲୋକଙ୍କ ସେବା କରିବାରେ ଅବହେଳା କରିବେ ନାହିଁ ବୋଲି ମୋର ଆଶା ଓ ବିଶ୍ୱାସ ।
ସୂଚନା ଥାଉକି ଛପରା ହେଉଛି ବିଜେପିର ଗଡ଼ । ବିଜେପି ଟିକେଟରୁ ସିଏନ୍ ଗୁପ୍ତା ଏହି ଆସନରୁ ୨ ଥର ବିଧାୟକ ହୋଇଛନ୍ତି । ଛପରା ଆସନରେ ଯାଦବ, ରାଜପୁତ, ବ୍ରାହ୍ମଣ, ବଣିଆ ଓ ମୁସଲମାନ ସଂପ୍ରଦାୟର ମତଦାତାଙ୍କ ସଂଖ୍ୟା ଭାଗ୍ୟ ନିର୍ଦ୍ଧାରଣ କରିଥାଏ ।
୨୦୨୦ ବିଧାନସଭା ନିର୍ବାଚନରେ ସିଏନ ଗୁପ୍ତା ୭ ହଜାର ଭୋଟରେ ବିଜୟୀ ହୋଇଥିଲେ । ସେହିଭଳି ୨୦୧୫ ନିର୍ବାଚନରେ ସିଏନ ଗୁପ୍ତା ଆରଜେଡି ପ୍ରାର୍ଥୀଙ୍କ ଠାରୁ ମାତ୍ର ୧୧ ହଜାର ଭୋଟରେ ବିଜୟୀ ହୋଇଥିଲେ । ତେଣୁ ବିଜେପି ପ୍ରାର୍ଥୀ ମାର୍ଜିନ ଭୋଟରେ ବିଜୟୀ ହୋଇଥିଲେ । ସେପଟେ ଆରଜେଡିରୁ ପ୍ରାର୍ଥୀ ହେଉଥିବା ରଣଧୀର ସିଂ ଏବେ ଜେଡିୟୁରେ ସାମିଲ ହୋଇଛନ୍ତି । ସେ ଛପରା ଛାଡ଼ି ଏଥର ମାଞ୍ଝୀ ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ଏହି କାରଣରୁ ଏହି ଆସନରେ ଟକ୍ଟର କଡ଼ାକଡ଼ି ହେବାକୁ ଯାଉଛି ।