କନକ ବ୍ୟୁରୋ: ପଞ୍ଜୀକରଣ ପାଇଁ ଜଟିଳ ନିୟମ ଯୋଗୁଁ ଚାଷୀ ଅସନ୍ତୋଷ ବଢ଼ିବା ପରେ ନରମିଛନ୍ତି ସରକାର । ପଞ୍ଜୀକରଣ ନିୟମରେ କେତେକ ପରିବର୍ତ୍ତନ କରିଛନ୍ତି ସରକାର । ଚାଷୀ କେମିତି ସୁବିଧାରେ ପଞ୍ଜୀକରଣ କରିପାରିବେ ସେଥିପାଇଁ ବ୍ୟବସ୍ଥା କରିଛନ୍ତି ।
୨୦୨୫-୨୦୨୬ ଖରିଫ ପଞ୍ଜୀକରଣରେ ବିଳମ୍ବ ହେବାରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏଣିକି ପଞ୍ଜୀକରଣ ବେଳେ ଲିଗାଲ ହାୟର ବା ବଂଶାବଳୀ ପ୍ରମାଣପତ୍ର ବଦଳରେ ଚାଷୀଙ୍କୁ ଦେବାକୁ ପଡ଼ିବ ସେଲ୍ଫ ଡିକ୍ଲାରେସନ । ଏହି ପଞ୍ଜୀକରଣ ଅଗଷ୍ଟ ୨୦ ବଦଳରେ ଅଗଷ୍ଟ ୨୫ ତାରିଖ ଯାଏଁ ଚାଲିବ । ସେଲ୍ଫ ଡିକ୍ଲାରେସନ ଫର୍ମକୁ ସବୁ ଜିଲ୍ଲାକୁ ପଠେଇଦିଆଯାଇଛି । ଏଣିକି ଚାଷୀଙ୍କୁ ଆଉ ରାଜସ୍ବ ନିରୀକ୍ଷକ ବା ଆରଆଇଙ୍କ ପାଖକୁ ଯିବାକୁ ପଡ଼ିବନି । ଚାଷୀ ସେଲ୍ଫ ଡିକ୍ଲାରେସନ ଫର୍ମରେ ଦସ୍ତଖତ କରି ରେଜିଷ୍ଟ୍ରେସନ କରିବେ ।
ଖରିଫ ପଞ୍ଜୀକରଣ ପାଇଁ ଚାଷୀ ଦୀର୍ଘଦିନ ଧରି ସମସ୍ୟାର ସମ୍ମୁଖୀନ ହେଉଥିଲେ । ବିଶେଷକରି ଭାଗଚାଷୀଙ୍କୁ ବହୁ ଅସୁବିଧା ଭୋଗ କରିବାକୁ ପଡୁଥିଲା । ଏନେଇ ଚାଷୀମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୧୯ ଜୁଲାଇରୁ ଆରମ୍ଭ ହୋଇଥିଲା ପଞ୍ଜିକରଣ । ଜଟିଳ ପ୍ରକ୍ରିୟା ଯୋଗୁଁ ଏହି ପ୍ରକ୍ରିୟା ଧିମେଇଯାଇଥିଲା । ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହାପରେ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ୧୩ ଲକ୍ଷ ୩୪ହଜାର ୨୮ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ଏବେ ସରଳୀକରଣ ଦ୍ବାରା ପଞ୍ଜୀକରଣ ୧୭ ଲକ୍ଷ ୫୦ ହଜାର ହେବ ବୋଲି ଟାର୍ଗେଟ୍ କରିଛନ୍ତି ସରକାର । ଚାଷୀମାନେ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ୧୫ ଦିନ ପୂର୍ବରୁ ଏହା କରିବାର ଥିଲା ବୋଲି କହିଛନ୍ତି । ଧାନ ପଞ୍ଜୀକରଣରେ ଅବ୍ୟବସ୍ଥାକୁ ନେଇ କାଲି ବରଗଡରେ ବିଜେଡି ଚାଷୀ ସମାବେଶ କରୁଛି । ଏହାପୂର୍ବରୁ ପଞ୍ଜିକରଣକୁ ସରଳୀକରଣ କରି ସରକାର ମୁଖ୍ୟ ବିରୋଧୀ ଦଳକୁ ଚେକ ଦେବାକୁ ଉଦ୍ୟମ କରିଛନ୍ତି ବୋଲି କୁହାଯାଉଛି ।