କନକ ବ୍ୟୁରୋ: ପାକିସ୍ତାନକୁ ପାନେ ଦେବାକୁ ଖାନ୍ ସାର୍ଙ୍କ ମାଷ୍ଟର ପ୍ଲାନ୍ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶବାସୀଙ୍କ ମନରେ ଆକ୍ରୋଶ ସୃଷ୍ଟି ହୋଇଛି । ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି ପାକିସ୍ତାନ ଆତଙ୍କବାଦୀ । ଏମାନଙ୍କ ବିରୁଦ୍ଧରେ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଲାଣି । କୂଟନୈତିକ ସ୍ତରରେ ପାକିସ୍ତାନ ଉପରେ ଚାପ ପକାଉଛି ଭାରତ । ଏହି କ୍ରମରେ ପ୍ରଥମେ ସିନ୍ଧୁ ଜଳଚୁକ୍ତିକୁ ରଦ୍ଦ କରିଛି । ହେଲେ ପାକିସ୍ତାନ ବା ପାକିସ୍ତାନର ଆତଙ୍କୀ ସଙ୍ଗଠନକୁ ବର୍ବାଦ କରିବାକୁ ଏବେ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ଖାନ୍ ସାର୍ । ଏହି ପ୍ଲାନ୍ରେ ପାକିସ୍ତାନକୁ ହାତରେ ନୁହେଁ, ଭାତରେ ମାରିବା ଫର୍ମୁଲା ବତାଇଛନ୍ତି ଖାନ୍ ସାର୍, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଖାନ୍ ସାର୍ କହିଛନ୍ତି, କେବଳ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କିମ୍ବା ସର୍ଜିକାଲ ଷ୍ଟ୍ରାଇକ୍ରେ ପାକିସ୍ତାନ ସାବାଡ଼ ହେବନି । ସିନ୍ଧୁ ଜଳକୁ ଡାଇଭର୍ଟ କରି ଆମେ କେଉଁଆଡ଼େ ନେବା ? ତାହାଠାରୁ ଭଲ ସିନ୍ଧୁ ନଦୀ ଉପରେ ଏକେ ଡ୍ୟାମ ନିର୍ମାଣ କରାଯାଉ । ଖରାଦିନେ ପାଣି ରୋକିବା ପରେ ବର୍ଷା ଦିନେ ପାକିସ୍ତାନ ପଟକୁ ପାଣି ଛାଡ଼ିଦେବା ଆବଶ୍ୟକ । ଆତଙ୍କୀମାନେ ୨୬ ଜଣ ନୀରିହ ଲୋକଙ୍କ ଜୀବନ ନେଇଛନ୍ତି । କେବଳ ସର୍ଜିକାଲ ଷ୍ଟ୍ରାଇକ୍ରେ ୫୦ ଜଣ ଆତଙ୍କୀଙ୍କୁ ମାରିଲେ ହିସାବ ବରାବର ହେବନି । ଏମାନେ ନରସଂହାର ରୋକିବେନି ।
ଭାରତ ପାକିସ୍ତାନକୁ ନାଭାଲ ବ୍ଲକେଜ୍ କରିବା ଦରକାର । ପାକିସ୍ତାନ ପାଖରେ କେବଳ ୯ ଦିନ ପେଟ୍ରୋଲିୟମ ଭଣ୍ଡାର ରହିଛି । ନାଭାଲ ବ୍ଲକେଜ୍ ଫଳରେ ପାକିସ୍ତାନର ପେଟ୍ରୋଲିୟମ ଶେଷ ହୋଇଯିବ । ଏହାଦ୍ୱାରା ପାକିସ୍ତାନକୁ ପାଣି ସହ ଇନ୍ଧନ ବି ମିଳିବନି ବୋଲି କହିଛନ୍ତି ଖାନ୍ ସାର୍ । କରାଚୀରେ ନାଭାଲ ବ୍ଲକେଜ୍ ଦ୍ୱାରା ପାକିସ୍ତାନକୁ କୋଟିକୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ । କାରଣ ଏଠାରେ ହିଁ ପାକିସ୍ତାନର ୯୦ ପ୍ରତିଶତ କାରବାର ହୋଇଥାଏ ।
୧୯୭୧ ଯୁଦ୍ଧ ବେଳେ ଭାରତ ଅପରେସନ ଟ୍ରାଇଡେଣ୍ଟ୍ ଏବଂ ଅପରେସନ୍ ପାଏଥନ୍ରେ କାରାଚୀ ଉପରେ ଆକ୍ରମଣ କରି ପାକିସ୍ତାନର ତେଲ ଭଣ୍ଡାରକୁ ନଷ୍ଟ କରି ଦେଇଥିଲା । ଯାହାଦ୍ୱାରା ପାକିସ୍ତାନ ହଜାର ହଜାର କୋଟି ଟଙ୍କାର କ୍ଷତି ସହିଥିଲା । ଏଥର ମଧ୍ୟ ଭାରତୀୟ ସେନାକୁ ଏଭଳି ରଣନୀତି ଆପଣାଇବାକୁ ଆଇଡିଆ ଦେଇଛନ୍ତି ଖାନ୍ ସାର୍ ।
ଖାନ୍ ସାର୍ଙ୍କ ମୁତାବକ ଭାରତକୁ ଇସ୍ରାଏଲ ଭଳି ଚିନ୍ତା କରିବାର ଆବଶ୍ୟକତା ରହିଛି । ଖାଲି ଛୋଟ ସର୍ଜିକାଲ ଷ୍ଟ୍ରାଇକ୍ କିଛି କାମ ଦେବନି । ଭାରତ ପାକିସ୍ତାନ ପାୱାର ଗ୍ରିଡ୍ ଉପରେ ଆଟାକ୍ କରିବା ଦରକାର । ଯାହାଦ୍ୱାରା ପୂରା ପାକିସ୍ତାନ ବ୍ଲାକ୍-ଆଉଟ୍ ହୋଇଯିବ । ଏହାଦ୍ୱାର ପାକିସ୍ତାନର ରେଳ ଷ୍ଟେସନ, ବିମାନ ବନ୍ଦର, ସ୍କୁଲ୍, କଲେଜ ସବୁ ବନ୍ଦ ହୋଇଯିବ । ଏହାପରେ ଅଏଲ୍ ରିଫାଇନେରି ଉପରେ ଟାର୍ଗେଟ୍ କରିବ ସେନା । ଫଳରେ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ ହୋଇଯିବ । ଏଭଳି ରଣନୀତି କରି ପାକିସ୍ତାନକୁ ୫୦ ବର୍ଷ ପଛକୁ ଠେଲି ଦେଇ ପାରିବ ଭାରତ । ଯାହାଦ୍ୱାରା ଆତଙ୍କବାଦୀ ଆକ୍ରମଣ କରିବା ଭୁଲିଯିବ ପାକିସ୍ତାନ ବୋଲି କହିଛନ୍ତି ଖାନ୍ ସାର୍ ।