କନକ ବ୍ୟୁରୋ : ଲୋକପ୍ରିୟ ଶିକ୍ଷାବିତ୍ ଏବଂ ୟୁଟ୍ୟୁବର୍ ଫୈଜଲ ଖାନ ଯିଏକି ଖାନ ସାର୍ ନାମରେ ପରିଚିତ, ସେ ରାଖୀ ପୂର୍ଣ୍ଣିମା ଅବସରରେ ୧୫,୦୦୦ ରୁ ଅଧିକ ରାଖୀ ହାତରେ ବାନ୍ଧି ଏକ ଭିଡିଓ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ ଏହା ଜଣେ ବ୍ୟକ୍ତିଙ୍କୁ ସର୍ବାଧିକ ସଂଖ୍ୟକ ରାଖୀ ବାନ୍ଧିବାର ଏକ ଅଣଅଧିକାରିକ ବିଶ୍ୱ ରେକର୍ଡ । ଖାନ୍ ସାର୍ ମଞ୍ଚ ଉପରେ ବସିଥିଲେ ଯେଉଁଠାରେ ଛାତ୍ରୀମାନେ ତାଙ୍କୁ ରାଖୀ ବାନ୍ଧି ଚାଲିଥିଲେ । ସକାଳ ୧୦ ଟାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା । କିନ୍ତୁ ରାଖୀ ବାନ୍ଧିବାର ପରମ୍ପରା ଅଟକିବାର ନା ନେଉନଥିଲା । ସମାରୋହରେ ଖାନ୍ ସାର୍ ମାଇକ୍ରୋଫୋନରେ ଘୋଷଣା କରିଥିଲେ ଯେ “ରକ୍ତ ଅଟକି ଗଲାଣି , ଡାକ୍ତରଙ୍କୁ ଏଥର ଡାକିବାକୁ ହିଁ ପଡ଼ିବ ।’’ ସେ ଏଭଳି କହିବାର କାରଣ ତାଙ୍କ ହାତ ରାଖୀ ବାନ୍ଧି ବାନ୍ଧି କାଠ ହୋଇଯାଇଥିଲା । 

Advertisment

ସମାରୋହ ପରେ ଖାନ ସାର୍ ହଜାର ହଜାର ରାକ୍ଷୀ ବନ୍ଧା ହୋଇଥିବା ତାଙ୍କ ହାତ ଦେଖାଇଥିଲେ ଏବଂ କହିଥିଲେ , ରାଖୀ ପୂର୍ଣ୍ଣିମାର ଶୁଭେଚ୍ଛା , ମୋ ହାତରେ ୧୫ ହଜାର ରାଖୀ ବାନ୍ଧି ହୋଇଗଲାଣି । ହାତ ଉଠାଇବା ବି କଷ୍ଟକର ହୋଇଗଲାଣି । ଏ କଳିଯୁଗରେ ଆମେ ଏତେ ସୌଭାଗ୍ୟଶାଳୀ ଯେ ଏତେ ମାତ୍ରାରେ ରାଖୀ ହାତରେ ବନ୍ଧା ହୋଇଛି । ଏମିତି ସ୍ଥିତିରେ ଉଠିବା କଷ୍ଟ ହେଉଛି , କେହି ଜଣେ ଲୋକ ଆସ ମତେ ଉଠାଇବା ପାଇଁ । ଧ୍ୟାନ ରଖ ମୋ ଭଉଣୀମାନଙ୍କୁ ଖାଦ୍ୟପେୟରେ ଯେମିତି କିଛି ଅସୁବିଧା ନହୁଏ । ଶୁଭ ରାଖୀ ପୂର୍ଣ୍ଣିମା । ସମସ୍ତଙ୍କ ପ୍ରିୟ ଖାନ୍ ସାରଙ୍କ ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି  । କେହି କେହି ୟୁଜର୍ କହୁଛନ୍ତି ଭାଇଚାରାର ଉଦାହରଣ ଦେଉଛନ୍ତି ଖାନ୍ ସାର୍ , ଆଉ କିଏ କହୁଛନ୍ତି , ଖାନ୍ ସାରଙ୍କୁ ସୁପର୍ ଭାଇ ବୋଲି ଡକାଯିବା ଦରକାର ।