କନକ ବ୍ୟୁରୋ: ପାଖାପାଖି ୪ ଲକ୍ଷ ବିଦ୍ୟୁତ୍‌ ବିଲ ବାକି । ବିଲ୍‌ ପୈଠ ନକରିବାରୁ ମନ୍ଦିରରୁ ବିଦ୍ୟୁତ ବିଚ୍ଛିନ୍ନ କରି ଦେଲା ବିଦ୍ୟୁତ ସରବରାହ ସଂସ୍ଥା । ୬ ମାସ ହେଲା ଚୋରା ବିଦ୍ୟୁତରେ ଚାଲିଛି ମନ୍ଦିର । ସେପଟେ ଜରାଜୀର୍ଣ୍ଣ ହୋଇ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ଜଗନ୍ନାଥ ମନ୍ଦିର ।

Advertisment

ଖଲ୍ଲିକୋଟ୍‌ ଜଗନ୍ନାଥ ମନ୍ଦିରର ବିଦ୍ୟୁତ ବିଚ୍ଛିନ୍ନ କରିଛି ଟିପିଏସଓଡିଏଲ୍‌ । ବିଦ୍ୟୁତ୍ ବିତରଣକାରୀ ସଂସ୍ଥାର ଅଭିଯୋଗ, ୪ଲକ୍ଷରୁ ଅଧିକ ଟଙ୍କା ବିଲ୍‌ ବାକି । ମନ୍ଦିର ଦାୟିତ୍ୱରେ ଥିବା ଦେବୋତ୍ତର ବିଭାଗ ବିଦ୍ୟୁତ୍‌ ବିଲ୍‌ ଦେଉନାହିଁ ।

ଖଲ୍ଲିକୋଟ ସ୍ବର୍ଗତ ରାଣୀ ଭି. ସୁଜ୍ଞାନୀ କୁମାରୀ ଦେଓ ମନ୍ଦିର ପରିଚାଳନା କମିଟିର ସଭାପତି ଥିଲେ । ତାଙ୍କ ଦେହାନ୍ତ ପରେ ଆଉ ଗଠନ ହୋଇନି ନୂତନ କମିଟି । ତେଣୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ମହାପ୍ରଭୁଙ୍କ ମନ୍ଦିର । ଜଗନ୍ନାଥଙ୍କର ରହିଛି ୮୦୦ ଭରଣ ଅମୃତ ମଣୋହୀ ଜମି । ସେଠାରୁ କେତେ ଆୟ ହେଉଛି ? ତା' ହିସାବ କାହା ପାଖରେ ନାହିଁ । କାଳିଆ ଠାକୁରଙ୍କ ଜାଗାରେ ନିର୍ମିତ ଦୋକାନ ଓ ଅବଢ଼ାରୁ ଲକ୍ଷଲକ୍ଷ ଟଙ୍କା ଆଦାୟ କରୁଛି ଦେବୋତ୍ତର ବିଭାଗ । କିନ୍ତୁ ବିଦ୍ୟୁତ୍‌ ବିଲ୍‌ କାହିଁକି ପୈଠ କରୁନି ।

ଦେବୋତ୍ତର ବିଭାଗର ଦୂରଦୃଷ୍ଟି ଅଭାବରୁ ମନ୍ଦିର ଆଜି ଜରାଜୀର୍ଣ୍ଣ । ଗମ୍ବୁଜରେ ଫାଟ । ଭାଙ୍ଗି ଗଲାଣି ମୁଖ୍ୟ କବାଟ । ବର୍ଷା ଦିନେ ଛାତରୁ ପାଣି ଗଳି ମହାପ୍ରଭୁ୍ଙ୍କ ରତ୍ନସିଂହାସନ ତଳେ ଜମି ରହୁଛି । ତଥାପି ଶୁଣୁନି ବିଭାଗ, ଦେଉନି ଗୁରୁତ୍ୱ । ନୋଟିସ୍‌ ଆସିବାର ୬ ମାସ ପରେ ବି ନି ରବ ଟଙ୍କା ଦେଲାନି ବିଭାଗ । ଜଣାଶୁଣି ମନ୍ଦିରକୁ ଅନ୍ଧାରରେ ଚକ୍ରାନ୍ତ ଚାଲିଥିବା ଅଭିଯୋଗ ହୋଇଛି ।