କନକ ବ୍ୟୁରୋ : ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଟାର୍ଗେଟ କରିଛି ଆତଙ୍କବାଦୀ ପନ୍ନୁ । ବିଦେଶରୁ ଧମକପୂର୍ଣ ମେଲ ପଠାଇ ଏହି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଦେଇଛି ଆହ୍ୱାନ । ଏଭଳି ଧମକ ପରେ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ପୁଣି ଭୁବନେଶ୍ୱରବାସୀଙ୍କୁ ଭୟଭୀତ କରିଛି ଆତଙ୍କବାଦୀ ପନ୍ନୁ । ବିଦେଶରେ ଡେରା ପକାଇଛି ଆତଙ୍କବାଦୀ ପନ୍ନୁ, କିନ୍ତୁ ଓଡ଼ିଶା ଉପରେ ରଖିଛି ନଜର । ଭୁବନେଶ୍ୱରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ଆକ୍ରମଣ କରିବାକୁ ଖୋଲାଖୋଲି ଧମକ ଦେଇଛି ଆତଙ୍କବାଦୀ ପନ୍ନୁ । ବିମାନବନ୍ଦରରୁ ଜନତା ମୈଦାନ ଅସୁରକ୍ଷିତ ବୋଲି ପରୋକ୍ଷରେ ଚେତାଇଛି ଏହି କୁଖ୍ୟାତ ଆତଙ୍କବାଦୀ । ଯେକୌଣସି ପରିସ୍ଥିତିରେ ଏହି ସମ୍ମିଳନୀକୁ ଭଣ୍ଡୁର କରିବାକୁ ନିଜ ସହଯୋଗୀଙ୍କୁ ଆହ୍ୱାନ ଦେଇଛି ପନ୍ନୁ ।
- ଟେମ୍ପୁଲ ସିଟି ଭୁବନେଶ୍ୱରକୁ ଟେରର ସିଟି କହିଛି ପନ୍ନୁ
- ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଉପରେ ଆକ୍ରମଣ ପାଇଁ ଦେଇଛି ଧମକ
- ପ୍ରବାସୀ ଭାରତୀୟଙ୍କୁ ସତର୍କ ରହିବାକୁ କହିଛି ପନ୍ନୁ
ଓଡ଼ିଆ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଇମେଲ ଜରିଆରେ ଭିଡ଼ିଓ ସେୟାର କରି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଆକ୍ରମଣ ପାଇଁ ପନ୍ନୁ ଧମକ ଦେଇଛି । ଏହାପୂର୍ବରୁ ଡିଜିପି ସମ୍ମିଳନୀରେ ମଧ୍ୟ ସମାନ ଢଙ୍ଗରେ ଧମକ ଦେଇଥିଲା ଏହି ଖଲିସ୍ତାନୀ ଆତଙ୍କୀ । କିନ୍ତୁ ଗୁଇନ୍ଦା ବିଭାଗ ଓ ଓଡ଼ିଶା ପୋଲିସର ସୁରକ୍ଷାବଳୟକୁ ଭେଦ କରିବା ପନ୍ନୁ ପାଇଁ ସମ୍ଭବପର ହୋଇନଥିଲା । ଏବେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବେ । ତେଣୁ ପନ୍ନୁର ଧମକ ପରେ ସେମାନଙ୍କ ସୁରକ୍ଷା ଏବେ ଓଡ଼ିଶା ପୋଲିସର ଦାୟିତ୍ୱ ।
ପୂର୍ବରୁ ପନ୍ନୁ ଏଭଳି ଅନେକ ଆକ୍ରମଣର ଧମକ ଦେଇଛି । ବିଦେଶରେ ବସି ଏହି ଆତଙ୍କବାଦୀ ଭାରତ ବିରୋଧରେ ବିଷ ଉଗାରୁଛି । ଏବେ ପନ୍ନୁର ଟାର୍ଗେଟରେ ପ୍ରବାସୀ ଭାରତୀୟ ସମ୍ମିଳନୀ । ତେଣୁ ଭୁବନେଶ୍ୱରରେ ଆୟୋଜିତ ଏହି ସମ୍ମିଳନୀ କିଭଳି ସୁରୁଖୁରୁରେ ଶେଷ ହେବ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ।