କନକ ବ୍ୟୁରୋ : ଭାରତ ବିରୋଧରେ ପୁଣି ଷଡ଼ଯନ୍ତ୍ର ରଚିଛି ଖଲିସ୍ତାନୀ ଆତଙ୍କବାଦୀ ଗୁରପତ୍ୱନ୍ତ ସିଂହ ପନ୍ନୁ । ଆସନ୍ତାକାଲିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଥିବା ଡିଜିପି ସମ୍ମଳନୀକୁ ଭଣ୍ଡୁର କରିବାକୁ କରିଛି ଯୋଜନା । ଏକ ଭିଡିଓ ବାର୍ତ୍ତା ଜାରି କରି ପନ୍ନୁନ ଏହି ଧମକ ଦେଇଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ବୈଠକରେ ଦେଶର ସୁରକ୍ଷା ପ୍ରସଙ୍ଗକୁ ନେଇ ଆଲୋଚନା ହେବ । କିନ୍ତୁ ପନ୍ନୁ ଏହି ବୈଠକକୁ ଆତଙ୍କୀ ସମ୍ମିଳନୀ କହିବା ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ହେଡ୍ ଅଫ୍ ଟେରର୍ ଅର୍ଗାନାଇଜେନ୍ ବୋଲି କହିଛି । କେବଳ ସେତିକି ନୁହେଁ ରାଜଧାନୀକୁ ଆସି ପ୍ରତିବାଦ କରିବାକୁ ନିଜ ସମର୍ଥକଙ୍କୁ ଆହ୍ୱାନ ବି ଦେଇଛି । ପନ୍ନୁନ ଭିଡିଓ ବାର୍ତ୍ତା ଜାରି ଖଲିସ୍ତାନୀମାନଙ୍କୁ ଛଦ୍ମବେଶରେ ଆସି ଭୁବନେଶ୍ୱରର ମନ୍ଦିର, ହୋଟେଲରେ ଲୁଚି ରହି ଏହି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଆହ୍ୱାନ କରିଛି ।
ପନ୍ନୁର ଏଭଳି ଆକ୍ରମଣାତ୍ମକ ଭିଡିଓକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି । ପନ୍ନୁର ଏଭଳି ଧମକପୂର୍ଣ୍ଣ ବାର୍ତ୍ତା ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯେକୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ଡିଜିପି ୱାଇ.ବି. ଖୁରାନିଆ ।