ପରଦାରେ ନିଆଁ ଲଗାଇବା ପାଇଁ ଅଣ୍ଟା ଭିଡିଲେଣି ସାଉଥ୍ ଇଣ୍ଡଷ୍ଟ୍ରିର ରକିଂ ଷ୍ଟାର୍ ୟସ୍ । କେଜିଏଫ୍ ହିରୋ ୟସଙ୍କ ହାତରେ ଏବେ ୩ ଟି ବଡ଼ ବଡ଼ ପ୍ରୋଜେକ୍ଟ ରହିଛି । ଯେଉଁ ସିନେମା ଜରିଆରେ ସେ କମ୍ ବ୍ୟାକ୍ କରିବାକୁ ଯାଉଛନ୍ତି ତାହାର ଟାଇଟଲ୍ ରହିଛି ‘ଟକ୍ସିକ୍’ । ଗିତୁ ମୋହନଦାସଙ୍କ ଦ୍ୱାରା ନିର୍ମିତ ଏହି ସିନେମାର ସୁଟିଂ କାମ ଆରମ୍ଭ ହୋଇସାରିଛି । କିନ୍ତୁ ଏହି ଫିଲ୍ମ ଏବେ ବିବାଦ ଘେରକୁ ଚାଲିଆସିଛି । କିଛି ଦିନ ତଳେ ସିନେମାର ଏକ ସିନ୍ ସୁଟିଂ ପାଇଁ ୨୦ ଏକର ଜମିରେ ଗୋଟିଏ ଗ୍ରାଣ୍ଡ୍ ସେଟ୍ ତିଆରି କରାଯାଇଥିଲା । ଏହି ସେଟର କନଷ୍ଟ୍ରକ୍ସନ୍ ପାଇଁ ଅନେକ ଗଛକୁ ବେଆଇନ୍ ଭାବେ କଟାଯାଇଛି । 

Advertisment

toxic

ପିଟିଆଇର ରିପୋର୍ଟ ମୁତାବକ , ସିନେମା ଟକ୍ସିକ୍ ର ଯେଉଁଠି ସୁଟିଂ ଚାଲିଛି ସେହି ସ୍ଥାନକୁ ନୀରିକ୍ଷଣ କରିବା ପାଇଁ ଟିମ୍ ପହଂଚିଛନ୍ତି । ସୂଚନା ଅନୁସାରେ , କର୍ଣ୍ଣାଟକର ଜଙ୍ଗଲ ମନ୍ତ୍ରୀ ଇଶ୍ୱର ଖାଣ୍ଡ୍ରେ ଜଙ୍ଗଲ ଜମିରେ ଗଛ କାଟିବାକୁ ଅନୁମତି ଦେଇଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପିଟିଆଇ ପକ୍ଷରୁ କୁହାଯାଇଛି କି , ଏଚଏମଟି ନିଜ ଅଞ୍ଚଳରେ ଥିବା ଜଙ୍ଗଲ ଜମିକୁ ଅନେକ ପ୍ରାଇଭେଟ୍ ସଂସ୍ଥାକୁ ଅବୈଧ ରୂପେ ବିକ୍ରି କରିଦେଇଛନ୍ତି । ଯାହା ଫଳରେ ଉକ୍ତ ଅଞ୍ଚଳରେ ଏଭଳି ଅବୈଧ କାର୍ଯ୍ୟକଳାପ ହେଉଛି । ସାଟେଲାଇଟ୍ ଫଟୋରେ ଗଛକୁ ଅବୈଧ ରୂପରେ କାଟିବାର ଦୃଶ୍ୟ ମଧ୍ୟ ଦେଖାଯାଇଛି । ଜଙ୍ଗଲ ମନ୍ତ୍ରୀ ଏହାକୁ ସିଧାସଳଖ ଅପରାଧ ବୋଲି କହିଛନ୍ତି । 

ସୁଟିଂ ସେଟ୍ ତିଆରି କରିବା ପାଇଁ ଯେଉଁ ଗଛକୁ କଟାଗଲା ସେଥିପାଇଁ ଅନୁମତି ନିଆଯାଇଛି କି ନାହିଁ । କେଉଁ ଅଧିକାରୀ ଗଛ କାଟିବାକୁ ଅନୁମତି ଦେଲେ ସବୁର ବିବରଣୀ ମାଗିଛନ୍ତି କର୍ଣ୍ଣାଟକର ଜଙ୍ଗଲ ମନ୍ତ୍ରୀ । ଅନ୍ୟପଟେ ଗଛକଟାରେ ସଂପୃକ୍ତ ଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା କହିଛନ୍ତି ମନ୍ତ୍ରୀ । ତେବେ ଏହାର ପ୍ରଭାବ ସିନେମାର ସୁଟିଂ ଉପରେ ପଡ଼ିନି ସତ କିନ୍ତୁ ବିବାଦ ତ ଆରମ୍ଭ ହୋଇସାରିଛି । ତେବେ କେଜିଏଫ୍ ଷ୍ଟାର୍ ୟସ୍ ଙ୍କ ବହୁ ପ୍ରତିକ୍ଷୀତ ସିନେମା ଟକ୍ସିକ୍ ୨୦୨୫ ଏପ୍ର୍ରିଲ୍ ୧୦ ତାରିଖରେ ରିଲିଜ୍ ହେବାକୁ ଯାଉଛି ।