କନକ ବ୍ୟୁରୋ: ଆସନ୍ତାକାଲି ଦିଲ୍ଲୀରେ ବସିବାକୁ ଯାଉଛି ରାଜ୍ୟ କଂଗ୍ରେସର ବଡ଼ ବୈଠକ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡିଶା ନେତାଙ୍କୁ ନେଇ କରିବେ ବୈଠକ । ସାଂଗଠନିକ ସ୍ଥିତି ମଜଭୁତ ସହ ରାଜ୍ୟରେ ଆଗାମୀ ରଣନୀତି କ'ଣ ରହିବ, ସେନେଇ କରାଯିବ ମାନସମନ୍ଥନ । ପିସିସି ସଭାପତି ଭକ୍ତ ଦାସ, ପ୍ରଭାରୀ ଅଜୟ ଲଲୁ ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ଏଥିପାଇଁ ଦିଲ୍ଲୀ ଡାକରା ହୋଇଛି । ଏଆଇସିସି ଅଧକ୍ଷ ମଲ୍ଲିକାର୍ଜୁନ୍ ଖଡ୍ଗେ, ରାହୁଲ ଗାନ୍ଧୀ ଓ ଏଆଇସିସି ସାଂଗଠନିକ ସମ୍ପାଦକ କେସି ବେଣୁଗୋପାଳ ଏହି ବୈଠକରେ ଉପସ୍ଥିତ ରହିବେ । ଜିଲ୍ଲା ସଭାପତି ଚୟନ ନେଇ ଏଆଇସିସି ନିଯୁକ୍ତ କରିଥିବା ସମସ୍ତ ୩୫ ପର୍ଯ୍ୟବେକ୍ଷକ ଓଡିଶା ଆସିବା ପୂର୍ବରୁ ସେମାନଙ୍କ ସହ ରାହୁଲ କରିବେ ଆଲୋଚନା ।
କଂଗ୍ରେସ ଜିଲ୍ଲା ସଭାପତି ନିଯୁକ୍ତି ଉପରେ ଗୁରୁତ୍ବ ଦେଉଛି। ଗୁଜରାଟ ଢାଞ୍ଚାରେ ଏଠାରେ ସଂଗଠନ ସୃଜନ ମାଧ୍ୟମରେ ଜିଲ୍ଲା ସଭାପତି ଚୟନ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଉ ବରିଷ୍ଠ ନେତାଙ୍କ ସୁପାରିଶରେ ଜିଲ୍ଲା ଓ ବ୍ଲକ ସଭାପତି ଚୟନ କରାଯିବନି । ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଅନୁସାରେ ବଛାଯିବେ ଜିଲ୍ଲା ସଭାପତି । କିପରି ଦକ୍ଷ ଲୋକଙ୍କ ହାତରେ ଜିଲ୍ଲା ସଂଗଠନ ଦାୟିତ୍ବ ଦିଆଯିବ, ସେଥିପାଇଁ ଏଆଇସିସି ଲକ୍ଷ୍ୟ ରଖିଛି । ଏଆଇସିସିର ଏପରି ଅଭିଯାନକୁ ନେଇ ଓଡ଼ିଶା କଂଗ୍ରେସ ଶିବିର ମଧ୍ୟ ଉତ୍ସାହିତ ରହିଛି । ୩୫ଟି ସାଂଗଠନିକ ଜିଲ୍ଲା ସଭାପତି ଚୟନ କରିବା ନେଇ ଖିବଶୀଘ୍ର ପର୍ଯ୍ୟବେକ୍ଷକମାନେ ଜିଲ୍ଲା ଦାୟିତ୍ୱ ନେଇ ଓଡ଼ିଶା ଆସିବେ । ରାହୁଲ ଗାନ୍ଧୀ ଓଡ଼ିଶାରେ ସମ୍ଭାବନା ଦେଖୁଥିବାରୁ ଏବେଠାରୁ ରଣନୀତି କରୁଛନ୍ତି ।
୨୫ ବର୍ଷ ଧରି କ୍ଷମତା ବାହାରେ ଥିବା ଓଡ଼ିଶା କଂଗ୍ରେସକୁ ସଜାଡ଼ିବା ପାଇଁ ଏଆଇସିସି ଗୁରୁତ୍ବ ଦେଇଛି । ଓଡ଼ିଶାରୁ ଦିଲ୍ଲୀ ଯାଏ ସାଂଗଠନିକ ସ୍ଥିତିକୁ ମଜଭୁତ କରିବାକୁ ରଣନୀତି କରାଯାଉଛି । ସଭାପତି ହେବା ପରେ ଓଡ଼ିଶାରେ କି କି କାର୍ଯ୍ୟକ୍ରମ କରିଛନ୍ତି, ସେନେଇ ରାହୁଲ ଗାନ୍ଧୀଙ୍କୁ ରିପୋର୍ଟ ଦେବେ ଭକ୍ତ ଦାସ । ଏଥିସହ ଅକ୍ଟୋବରରେ ଆରମ୍ଭ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହରେ ସାମିଲ ହେବା ପାଇଁ ରାହୁଲ ଗାନ୍ଧୀଙ୍କୁ ପିସିସି ଅନୁରୋଧ କରିବ ବୋଲି ଜଣାପଡିଛି ।