Water Scarity Photograph: (Kanak News)
କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ପାଲଟପୁର ପଞ୍ଚାୟତ ପାଲଟିଛି କ୍ୟାନସର ଓ କିଡନୀ ରୋଗର ଏନ୍ତୁଡ଼ିଶାଳ । ୧୦ ବର୍ଷରେ ୧୨୦ ଜୀବନ ନେଲାଣି ଦୂଷିତ ପାଣି । ତେବେ ଏ ପଞ୍ଚାୟତର ପାଣି ଏମିତି କ’ଣ ହେଲା ଯେ ଲୋକଙ୍କ ଜୀବନ ନେବାକୁ ପଛାଉନି ? ସ୍ଥିତି ପରଖିବାକୁ କନକ ନ୍ୟୁଜ୍ ପହଞ୍ଚିଥିଲା ଗ୍ରାଉଣ୍ଡ ଜିରୋରେ ।
ଯାଜପୁର ଜିଲ୍ଲା । ରାଜ୍ୟ ରାଜନୀତିର ପ୍ରଭାବ ଏହିଠାରେ ଦେଖିବାକୁ ମିଳେ । ପୂର୍ବରୁ ପ୍ରଣବ ପ୍ରକାଶ ଦାସ ଓ ପ୍ରମିଳା ମଲ୍ଲିକଙ୍କ ପରି ହେଭିୱେଟ୍ ରାଜ୍ୟର ନେତୃତ୍ୱ ନେଇଛନ୍ତି । ୨୦ ବର୍ଷ ଧରି ଦଳ କ୍ଷମତାରେ ରହିଥିଲେ ମଧ୍ୟ ନିଜ ଜିଲ୍ଲାର ବିକାଶ ହୋଇପାରିନାହିଁ । ପାଲଟପୁର ପଞ୍ଚାୟତ ବିନ୍ଧାନନ୍ଦିପୁର ଗାଁର ନଳକୂଅକୁ ହ୍ୟାଣ୍ଡେଲ ମାଡ଼ିଲେ, ବାହାରୁଛି ମାଟିଆ ଜହର । ପାଣିରେ ଆସୁଛି ଖଣ୍ଡ ଖଣ୍ଡ କଳଙ୍କି । କେବଳ ପୁରୁଣା ନଳକୂଅ ନୁହେଁ, ବିଶୁଦ୍ଧ ପାଣି ଯୋଗାଇବାକୁ ଗଲା ମାସ ୧୫ ତାରିଖରେ ଗାଁରେ ବସା ଯାଇଥିବା ଏ ୬୦୦ ଫୁଟ ଗଭୀର ନଳକୂଅ ପାଣି ଅବସ୍ଥା ବି ସମାନ । ଏପଟେ ଗତ ୧୦ ବର୍ଷରେ ଦୂଷିତ ପାଣି ପିଇ କିଡ୍ନୀ ଓ କର୍କଟ ରୋଗରେ ୧୨୦ ଲୋକଙ୍କ ଜୀବନ ଯାଇଛି । ଏବେ ଗାଁର ପ୍ରାୟ ଲୋକ ୨୦ ଲିଟିରିଆ ପାଣି ବୋତଲ କିଣି ପିଉଛନ୍ତି ।
ଅଧିକ ପଢ଼ନ୍ତୁ : ଅତ୍ୟଧିକ ହଳଦୀ ଖାଇଲେ କିଡନୀ ଏବଂ ଲିଭର ଫେଲ ହୋଇପାରେ ! ହଳଦୀ ଖାଇବାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଜାଣନ୍ତୁ
ଷାଠିବାଟି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିତରେ ଥିବା ଏ ନଳକୂଅ ପାଣିର ବି ସମାନ ଅବସ୍ଥା । ୫-୬ ମାସ ତଳେ ନୂଆ ଖୋଳା ଯାଇଥିବା ଏ ନଳକୂଅରୁ ପ୍ରଥମ କିଛି ମାସ ଭଲ ପାଣି ତ ଆସିଲା, ହେଲେ ତା ପରେ ବାହାରୁଛି ସେଇ ମାଟିଆ ଦୂଷିତ ପାଣି । ଖବର ପାଇବା ପରେ ପାଲଟପୁର ପଞ୍ଚାୟତରେ ଥିବା ୮୨୭ଟି ନଳକୂଅର ପାଣି ନମୁନା ପରୀକ୍ଷା ପାଇଁ ଯାଇଥିଲା । ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସିଥିବା ୩୬୦ଟି ନମୁନାରୁ ୧୯୧ ଟିରେ ବିଷାକ୍ତ ରାସାୟନିକ ପଦାର୍ଥ ଥିବା ସ୍ପଷ୍ଟ ହୋଇଛି ।
Follow Us