କନକ ବ୍ୟୁରୋ: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'କେଶରୀ-୨' ଗତ ଏପ୍ରିଲ ୧୮ ତାରିଖ ଗୁଡ୍ ଫ୍ରାଇଡେ' ଅବସରରେ ରିଲିଜ୍ ହୋଇଛି । ଏହି ଫିଲ୍ମକୁ ପସନ୍ଦ କରୁଛନ୍ତି ଦର୍ଶକ । ବିଶେଷ କରି ସାର୍ ଶଙ୍କରନ୍ ନାୟର ଚରିତ୍ର ଲୋକଙ୍କୁ ପ୍ରଭାବିତ କରିଥିବା ଦେଖିବାକୁ ମିଳୁଛି । ଫିଲ୍ମ ଶେଷ ହେବାପରେ ହଲ୍ରେ ଭାରତ ମାତା କି ଜୟ ନାରା ଦେଉଛନ୍ତି ଦର୍ଶକ । ସନ୍ନି ଦେଓଲଙ୍କ ଫିଲ୍ମ 'ଜାଟ୍' ବକ୍ସ ଅଫିସ୍ରେ ଜବରଦସ୍ତ ପ୍ରଦର୍ଶନ କରୁଛି । ଏହାରି ମଧ୍ୟରେ କେଶରୀ-୨ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।
କେଶରୀ-୨ ରିଲିଜ୍ ହେବାର ପ୍ରଥମ ଦିନରେ ୭.୭ କୋଟି ଟଙ୍କା କଲେକ୍ସନ କରିଥିଲା । ଏହାପରେ ଦ୍ୱିତୀୟ ଦିନରେ ବି ୯.୫ କୋଟି ଟଙ୍କା ଆୟ କରିଛି । ଏବେ ସୁଦ୍ଧା ଫିଲ୍ମଟି ଆଶାନୁରୂପ କଲେକ୍ସନ କରୁଛି । ଧୀରେଧୀରେ ଆହୁରି ଲୋକପ୍ରିୟ ହେବ ବୋଲି ଅନୁମାନ କରାଯାଉଛି । ପ୍ରଥମ ଦିନର କଲେକ୍ସନ୍ ତୁଳନାରେ ଦ୍ୱିତୀୟ ଦିନ ୨୮.୫୭ ପ୍ରତିଶତ ଆୟ ବୃଦ୍ଧି ପାଇଛି । ତେବେ ଏହି ଫିଲ୍ମ ଅକ୍ଷୟ କୁମାରଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଛି । ଲଗାତାର ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍ ହେବାପରେ କେଶରୀ-୨କୁ ଏବେ ସକରାତ୍ମକ ପ୍ରତିକ୍ରିୟା ମିଳୁଛି । ଅକ୍ଷୟ କୁମାରଙ୍କ ପୂର୍ବ ଫିଲ୍ମ କଥା କହିଲେ ଖେଲ୍ ଖେଲ୍ ମେ ପ୍ରଥମ ଦିନରେ ୫.୨୩ କୋଟି ଆୟ କରିଥିଲା । ମିଶନ ରାଣୀଗଞ୍ଜ ୨.୮୦ କୋଟି, ସର୍ଫିରା ୨.୫୦ କୋଟି କଲେକ୍ସନ କରିଥିଲା । ମାତ୍ର ୧୦୦୦ଟି ସ୍କ୍ରିନ୍ରେ ରିଲିଜ୍ ହୋଇଛି କେଶରୀ-୨ । ଏଣୁ ଆଗାମୀ ଦିନରେ ଏହି ଫିଲ୍ମ ଆହୁରି ଭଲ ଇନ୍କମ୍ କରିପାରେ ବୋଲି ଫିଲ୍ମ ସମୀକ୍ଷକ ମତ ଦେଉଛନ୍ତି ।
କେଶରୀ-୨ରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର, ଆର ମାଧୱନ ଏବଂ ଅନନ୍ୟା ପାଣ୍ଡେ ନଜର ଆସିଛନ୍ତି । ଏହି ଫିଲ୍ମଟି ଜାଲିଆନାୱାଲା ବାଗ୍ ନରସଂହାର ପରେ ହୋଇଥିବା ଆଇନଗତ ଲଢ଼େଇ ଉପରେ ଆଧାରିତ, ଯେଉଁଥିରେ ଅକ୍ଷୟ କୁମାର ସି. ଶଙ୍କରନ୍ ନାୟାର ଭୂମିକାରେ ଅଭିନୟ କରିଛନ୍ତି । ଆର୍ ମାଧୱନ୍ ନିଭେଲ୍ ମ୍ୟାକ୍ନ୍ଲି ଚରିତ୍ରରେ ନଜର ଆସିଛନ୍ତି । ଅନନ୍ୟା ପାଣ୍ଡେ ଦିଲ୍ରିତ୍ ଗିଲ୍ ଭୂମିକାରେ ଜବରଦସ୍ତ ଅଭିନୟ କରିଛନ୍ତି । ଏହି ଫିଲ୍ମକୁ କରନ ସିଂହ ନିର୍ଦ୍ଦେଶନା ଦେଇଛନ୍ତି । ନିର୍ଦ୍ଦେଶକ ଭାବରେ ଏହା ତାଙ୍କର ପ୍ରଥମ ଫିଲ୍ମ । ଫିଲ୍ମଟି ୧୫୦ କୋଟି ବଜେଟ୍ରେ ତିଆରି ହୋଇଛି ।