କନକ ବ୍ୟୁରୋ;  କେନ୍ଦୁଝରରେ ରହୁଥିବା ଆଦିମ ଅଧିବାସୀ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି । ଆଉ ତା’ମଧ୍ୟରୁ ଶାଳପତ୍ର ଅନ୍ୟତମ। ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରି ଏହାକୁ ବିଡ଼ାବାନ୍ଧି ବଜାରରେ ବିକ୍ରି କରନ୍ତି । ବାଉଁଶ କାଠି ସାହାଯ୍ୟରେ ଖଲି, ଚଉପତି, ପଲଙ୍ଗା ଆଦି ତିଆରି କରି କିଛି ରୋଜଗାର କରନ୍ତି । ଏହାସହ ଶାଳ ଗଛର କାଠିକୁ ଦାନ୍ତକାଠି ଭାବେ ବିକ୍ରି କରିଥାନ୍ତି । ଏହାଦ୍ବାରା ସେମାନେ ଦିନକୁ ୫୦୦ ରୁ ୬୦୦ ଟଙ୍କା ରୋଜଗାର କରନ୍ତି । ପୂଜାପର୍ବାଣୀରେ ଅଧିକ ରୋଜଗାର ହୁଏ । 

Advertisment

ପୂଜାପର୍ବାଣୀରୁ ଆରମ୍ଭ କରି ଘରୋଇ ଭୋଜିଭାତ ସବୁଠି ଶାଳପତ୍ର ନିର୍ମିତ ସାମଗ୍ରୀର ଚାହିଦା ରହିଛି। ଠାକୁରଙ୍କ ପାଖରେ ଶାଳପତ୍ରରେ ଭୋଗ ଲାଗି କରାଯାଏ । ଘରୋଇ କାର୍ଯ୍ୟକ୍ରମରେ ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରନ୍ତି । ଏପରିକି କେନ୍ଦୁଝରରେ ଥିବା ଅଧିକାଂଶ ହୋଟେଲରେ ଶାଳପତ୍ରରେ ଖାଦ୍ୟ ପରସନ୍ତି ବ୍ୟବସାୟୀ । ସବୁଠାରୁ ବଡ଼ କଥା ହେଲା ପତ୍ରରେ ନିର୍ମିତ ହୋଇଥିବାରୁ ଏହା ପରିବେଶକୁ ନଷ୍ଟ କରେ ନାହିଁ ।

ଶାଳପତ୍ରରେ ଖାଇବା ମଧ୍ୟ ସ୍ବାସ୍ଥ୍ୟପାଇଁ ଭାରି ଉପକାରୀ । କେନ୍ଦୁଝରରେ ଥିବା ଶାଳ ଜଙ୍ଗଲ ଲୋକଙ୍କୁ ରୋଜଗାରକ୍ଷମ କରାଏ । କୋରାପୁଟର କଫି ଭଳି ଶାଳପତ୍ର କେନ୍ଦୁଝରର ପରିଚୟ ବୋଲି କୁହନ୍ତି କେନ୍ଦୁଝରବାସୀ । ଜଙ୍ଗଲ ଲକ୍ଷାଧିକ ଲୋକଙ୍କୁ ରୋଜଗାର ଦେଉଥିବାରୁ ଜଙ୍ଗଲ ବୃଦ୍ଧି ପାଇଁ ସରକାର ଦୃଷ୍ଟି ଦେଲେ ବନବାସୀ ମାନଙ୍କ ରୋଜଗାର ବଢ଼ିପାରିବ ।