କନକ ବ୍ୟୁରୋ : ସରକାର ଗରିବ ଲୋକଙ୍କ ପକ୍କା ଘରେ ରହିବାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରଚଳନ କରିଛନ୍ତି ଅନେକ ଯୋଜନା । ହେଲେ ଯୋଜନାର ସୁଫଳ ଲୋକଙ୍କୁ ମିଳୁନି । ଆନନ୍ଦପୁର ଉପଖଣ୍ଡ କଣ୍ଠିଆଡି ଗ୍ରାମର ଅନେକ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଭାଗ୍ୟକୁ ଆଦରି ଭଙ୍ଗା ଚାଳଘରେ ବାସ କରୁଛନ୍ତି । ଏହି ଗାଁକୁ ଦେଖିଲା ପରେ ସରକାରୀ ଯୋଜନାକୁ ନେଇ ମନରେ ମାଳମାଳ ପ୍ରଶ୍ନ ଉଠୁଛି । ପକ୍କାଘର ଯୋଗାଇବା ନେଇ ଡିଣ୍ଡିମ ପିଟୁଥିବା ବ୍ୟବସ୍ଥା ଉପରୁ ଭରସା ତୁଟି ଯାଉଛି । ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ କଣ୍ଠିଆଡ଼ି ଗାଁ। ଗାଁରେ ୮୦ରୁ ଅଧିକ ପରିବାର ବସବାସ କରୁଛନ୍ତି । ୯୦ଭାଗ ଲୋକ ଗରିବ ଶ୍ରେଣୀର ହୋଇ ବି ଆବାସ ଯୋଜନାରୁ ବଞ୍ଚିତ । ଭଙ୍ଗା ଦଦରା ଘରେ ରହୁଛନ୍ତି । କାହାର ଚାଳ ଉପରେ ପଲିଥିନ୍ ପଡ଼ିଛି ତ ଆଉ କାହାର କାନ୍ଥ ଭାଙ୍ଗି ପଡିବାରୁ ଶାଢ଼ୀ ଘେରା ଯାଇଛି ।
ଏହି ଅଞ୍ଚଳଟି ବନ୍ୟା ପ୍ରଭାବିତ ଅଞ୍ଚଳ । ବୈତରଣୀରେ ସାମାନ୍ୟ ପାଣି ବଢ଼ିଲେ ଗାଁରେ ପାଣି ପଶିଯାଏ । ଲୋକମାନେ ଘରଦ୍ୱାର ଛାଡ଼ି ସ୍କୁଲ, ପଞ୍ଚାୟତ ଅଫିସ୍ରେ ଆଶ୍ରୟ ନେଇଥାନ୍ତି । ବର୍ଷବର୍ଷ ଧରି ଭଙ୍ଗା ଦଦରା ଘରେ ରହୁଥିଲେ ବି ସେମାନଙ୍କୁ ବାସଗୃହ ଯୋଗାଇ ଦେବାରେ ବିଫଳ ଜିଲ୍ଲା ପ୍ରଶାସନ । ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ବ୍ଲକ ଓ ସରପଞ୍ଚଙ୍କୁ ଜଣାଇଲେ ବି କିଛି ଲାଭ ମିଳୁନଥିବା ଅଭିଯୋଗ କରିଛନ୍ତି ହିତାଧୀକାରୀ । ବର୍ଷବର୍ଷ ଧରି ଉପେକ୍ଷିତ ହୋଇ ରହିଥିବା ଲୋକଙ୍କ ଦୁଃଖ କେବେ ଦୂର ହେବ ତାକୁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/10/20-2025-08-10-18-03-38.jpg)