କନକବ୍ୟୁରୋ : ଲଗାଣ ବର୍ଷାରେ ବେହାଲ କେନ୍ଦୁଝର। ତେଲକୋଇ, ବାଂଶପାଳ, ହରିଚନ୍ଦନପୁର ଅଞ୍ଚଳରେ ଅନେକ ନାଳ ଉପରେ ଚାଲିଛି ପାଣି । ଫଳରେ ଅନେକ ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନେକ ଘର ଭାଙ୍ଗି ଯାଇଛି  ।   ଏହି ତିନୋଟି ବ୍ଲକରେ ବିଭିନ୍ନ  ଦୁର୍ଗମ ଅଞ୍ଚଳ ବନ୍ୟା ଜଳ ପାଇଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ହରିଚନ୍ଦନପୁର, ଧୋରଠ ଗାଁର କୁରେଇଁଯୋଡି  ପୋଲ ଉପରେ ୪ ଫୁଟରୁ ଉଚ୍ଚର ପାଣି ଚାଲୁଥିବା ବେଳେ ଲୋକଙ୍କ ଜୀବନ ଯାତ୍ରା ଠପ ହୋଇଯାଇଛି ।  ସେହିପରି ଖଣ୍ଡାଧୂଆଁ ନାଳରେ ବନ୍ୟା ଯୋଗୁ ଭଗାମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ପାଣି ପଶି ବନ୍ୟାର ଭ୍ରମ ସୃଷ୍ଟି କରିଛି    ।

Advertisment

ବାଂଶପାଳରେ ମଧ୍ୟ ସମାନ ସ୍ଥିତି ଦେଖାଯାଇଛି ।    ପ୍ରବଳ ବର୍ଷା ଯୋଗୁ ଅଁରା, କାଞ୍ଜିପାଣି, ରାହିଡିହା ଅଞ୍ଚଳରେ ଥିବା ଅଧିକାଂଶ ପୋଲ ଉପରେ ତିନି ଚାରି ଫୁଟରୁ ଅଧିକ ପାଣି ଚାଲୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।   ସବୁଠାରୁ ସଂଗୀନ ଅବସ୍ଥା ହେଉଛି ତେଲକୋଇ ବ୍ଲକର ସ୍ଥିତି ।  ସମାକୋଇ ନଦୀରେ ପ୍ରଖର ବନ୍ୟା ଜଳ ପ୍ରବାହିତ ଯୋଗୁ ଅଧିକାଂଶ ନାଳ ଘୁରୁଡିହା, ହନୁମନ୍ତିଆ, ଶଙ୍କରପୁର ,  ପିଟାନାଳି ଆଦି ନାଳରେ ଚାରି ଫୁଟରୁ ଉଚ୍ଚ ପାଣି ଚାଲୁଥିବାରୁ  ଏହି ଅଞ୍ଚଳରୁ ଢେଙ୍କାନାଳ, ତାଳଚେର ଅନଗୁଳ ଆଦି ସ୍ଥାନକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ଏହି ତିନୋଟି ବ୍ଲକରେ ୫୦ରୁ ଉର୍ଦ୍ଧ ଘର ଭାଙ୍ଗି ଯାଇଥିବାରୁ ବହୁ ଲୋକ ବେସାହାରା ହୋଇଯାଇଛନ୍ତି।