କନକ ବ୍ୟୁରୋ: ଜୀବନ ମାନେ ଏଠି ଖାଲି ଯନ୍ତ୍ରଣା ଆଉ ଯନ୍ତ୍ରଣା । ମରିମରି ଜିଉଁଛନ୍ତି ଶତାଧିକ ପରିବାର । ବିକାଶର ଦୀପ ତଳେ ଇଏ ଏମିତି ଏକ ଅନ୍ଧାରିମୁଲକ, ଯେଉଁଠି ଜୀବନଧାରଣ ପାଇଁ ମୌଳିକ ସୁବିଧାଠାରୁ ବହୁ ଦୂରରେ ରହିଛନ୍ତି ଗ୍ରାମବାସୀ । ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ ଭୁତୁଡ଼ା ପଞ୍ଚାୟତରେ ରହିଛି ଉପର କେନଶିଳା ଓ ତଳ କେମିଶଳା ଗାଁ । ଉଭୟ ଗାଁକୁ ମିଶାଇଲେ ପରିବାର ସଂଖ୍ୟା ୧୦୦ ଟପିଯିବ । ପ୍ରକୃତ ଅର୍ଥରେ ବନବାସୀ ଏମାନେ । ଗାଁକୁ ଯିବା ପାଇଁ ରାସ୍ତା ହିଁ ନାହିଁ । ସେହିପରି ବିଦ୍ୟାଳୟ ନଥିବାରୁ ଏଠାରେ ଅପାଠୁଆ ରହି ଆସିଛନ୍ତି ପିଢ଼ି ପରେ ପିଢ଼ି । 
 
ସ୍ୱାଧୀନତାର ଏତେ ବର୍ଷ ପରେ ବି ଗାଁକୁ ରାସ୍ତାଟିଏ ନାହିଁ । ସ୍ୱାସ୍ଥ୍ୟ ସୁବିଧା ସାତ ସପନ । କାହାର ଦେହ ଖରାପ ହେଲେ ପାହାଡ଼ିଆ ପଥୁରିଆ ପାଦଚଲା ରାସ୍ତାରେ ଖଟିଆରେ ବୋହି ନେବାକୁ ପଡ଼େ । ରାସ୍ତା ଅଭାବରୁ ପ୍ରସୂତିମାନେ ଘରେ ପ୍ରସବ କରିବାକୁ ବାଧ୍ୟ ହୋଇଥାନ୍ତି । ଫଳରେ ପ୍ରସବ ଜଟିଳତା କାରଣରୁ ଅନେକ ସମୟରେ ପ୍ରସୂତି ଓ ନବଜାତକର ମୃତ୍ୟୁ ହୋଇଥାଏ ।  ଗାଁର ଆଉ ଏକ ପ୍ରମୁଖ ସମସ୍ୟା ହେଉଛି ପାନୀୟଜଳ । ତେବେ ପିଇବା ଓ ସ୍ନାନଶୌଚ ପାଇଁ ବ୍ରାହ୍ମଣୀ ନଦୀର ଶାଖାନଦୀ ‘କୁରାଢ଼ିନାଳ’ ଉପରେ ଯୁଗଯୁଗ ଧରି ଭରସା କରିଛନ୍ତି ଗ୍ରାମବାସୀ ।

Advertisment

ଏହି ଗାଁରେ ପ୍ରାୟ ସମସ୍ତ ଶିଶୁ ଅପପୁଷ୍ଟି କବଳିତ। ଦେହ ଖରାପ ହେଲେ ଚେଙ୍କ ଓ ଚେରମୂଳି ଖୁଆଇ ଚିକିତ୍ସା କରନ୍ତି । ରାସ୍ତାଘାଟ ଅସୁବିଧା ପାଇଁ ପରିବା ବଦଳରେ କନ୍ଦମୂଳ ଖାଇ ବଞ୍ଚିବାକୁ ବାଧ୍ୟ ହୋଇଥାଆନ୍ତି । ରାସ୍ତା ଓ ପାଣି ଅସୁବିଧା ପାଇଁ ଏଠାରେ କାହାରି ପକ୍କାଘର ନାହିଁ । ଏହି ପଞ୍ଚାୟତରେ ରହିଛି ଓଡ଼ିଶା ସରକାରଙ୍କ ବଡ଼ ଖଣି ‘କୁର୍ମିତର ଖଣ୍ଡାଧାର’ ଲୌହଖଣି । ଏଠାରୁ ହଜାର ହଜାର କୋଟି ରାଜସ୍ୱ ମିଳୁଛି । ଲୋକଙ୍କ ବିକାଶ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ରହିଛି, ତଥାପି ବିକାଶ ଏଠାରେ ଅପହଞ୍ଚ ।