କନକ ବ୍ୟୁରୋ : ଆଦିବାସୀଙ୍କୁ ରୋଜଗାର ଯୋଗାଉଛି ସବୁଜ ସୁନା । ଜଙ୍ଗଲି କେନ୍ଦୁ ପତ୍ର ଯୋଗାଉଛି ଆହାର । ବିଶେଷ କରି ଖରା ଦିନେ ହାତରେ କାମ ଧନ୍ଦା ନ ଥିବା ସମୟରେ ଆଦିବାସୀ ଇଲାକାରେ ରୋଜଗାରର ପ୍ରମୁଖ ମାଧ୍ୟମ ପାଲଟିଛି କେନ୍ଦୁ ପତ୍ର । ମାଲକାନଗିରି ଜିଲ୍ଲାରେ ୫୦ ହଜାରରୁ ଅଧିକ ପରିବାର ପ୍ରତି ବର୍ଷ କେନ୍ଦୁ ପତ୍ର ବିକ୍ରି କରି ପରିବାର ପ୍ରତିପୋଷଣ କରୁ ଥିବା ବେଳେ ପ୍ରତି ବର୍ଷ ୩୦ ରୁ ୪୦ କୋଟି ଟଙ୍କାର ବ୍ୟବସାୟ ହୁଏ ମାଲକାନଗିରି ଜିଲ୍ଲାରେ । ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ମାଧ୍ୟମରେ କେନ୍ଦୁ ପତ୍ର କ୍ରୟ ହୋଉ ଥିବା ବେଳେ ଏହାକୁ କିଣିବା ଲାଗି ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଏ । ଯାହାର ସିଧା ସଳଖ ଲାଭ ଉଠାନ୍ତି ସାଧାରଣ ତୋଳାଳି ମାନେ । 

Advertisment

ମାଲକାନଗିରି ଜିଲ୍ଲାର ଗ୍ରାମାଂଚଳରୁ ଆସିଛି ଏହି ଖବର । ଚାଷୀଙ୍କଠାରୁ ଆରମ୍ଭ କରି ଗୃହିଣୀ , ସମସ୍ତେ କେନ୍ଦୁପତ୍ର ତୋଳିବାରେ ବ୍ୟସ୍ତ । ସକାଳ ହେବା ମାତ୍ରେ ପାଖ ଜଙ୍ଗଲକୁ ଛୁଟିଯାଆନ୍ତି ମାଲକାନଗିରି ଜିଲ୍ଲାର ହଜାର ହଜାର କେନ୍ଦୁପତ୍ର ତୋଳାଳି । ଆଉ ଦ୍ୱିପ୍ରହର ଖରା ଟାଣ ହେବା ପୂର୍ବରୁ ଏମାନେ ମୋଟର ସାଇକେଲ ଯୋଗେ କିମ୍ବା ମୁଣ୍ଡରେ କେନ୍ଦୁପତ୍ର ବୋହି ଘରକୁ ଫେରନ୍ତି । ଆଉ ଘର ଅଗଣାରେ ପିଲା ଛୁଆଙ୍କୁ ଧରି ବଛା ବଛା ୪୦ଟି କେନ୍ଦୁପତ୍ରରେ ଗୋଟିଏ ବିଡ଼ା ବାନ୍ଧନ୍ତି । ଖରାରେ ସୁଖାଇ ବ୍ୟବସାୟୀଙ୍କୁ ବିକ୍ରି କରନ୍ତି । ବିଶେଷକରି ଖରାଦିନେ ଜଳସେଚନ ଅଭାବ ସାଙ୍ଗକୁ କାମଧନ୍ଦା ନ ମିଳିବାରୁ କେନ୍ଦୁପତ୍ର ତୋଳିବାକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି, ମାଲକାନଗିରି ଜିଲ୍ଲାର ପ୍ରାୟ ୫୦ହଜାର ପରିବାର । 

ଏପ୍ରିଲ ମାସ ଠାରୁ ଆରମ୍ଭ କରି ମେ’ ଶେଷ ଯାଏଁ ଜାରି ରୁହେ କେନ୍ଦୁପତ୍ର ତୋଳିବା କାମ । ପ୍ରତିଟି ପରିବାର ଉଭୟ ସରକାରୀ ଓ ବେସରକାରୀ ଫଡିରେ କେନ୍ଦୁପତ୍ର ବିକ୍ରି କରି ୨୦ ରୁ ୪୦ ହଜାର ଟଙ୍କା ରୋଜଗାର କରନ୍ତି । ଏଥି ସହ ବର୍ଷ ତମାମ ପ୍ରାୟ ୨୦ ହଜାରରୁ ଅଧିକ ପରିବାରର ମହିଳା ମାନେ ଘରେ ବସି ବିଡ଼ି ପ୍ରସ୍ତୁତ କରି ସ୍ବାବଲମ୍ବୀ ହୋଇଛନ୍ତି । ମାଲକାନଗିରି ଏମଭି ୧୭ ଗାଁର ବୃଦ୍ଧ ଗଣେଷ ଚକ୍ରବର୍ତ୍ତୀ ପରିଣତ ବୟସରେ ମଧ୍ୟ ଜଙ୍ଗଲରୁ କେନ୍ଦୁ ପତ୍ର ଆଣି ପ୍ରାୟ ୫ ହଜାର ବିଡ଼ା ଉଭୟ ସରକାରୀ ଓ ବେସରକାରୀ ଫଡିରେ ବିକ୍ରି ୨୦ ହଜାର ଟଙ୍କା ରୋଜଗାର କରିଛନ୍ତି । ଏଥି ସହ ପରିବାର ସହ ବର୍ଷ ତମାମ ବିଡ଼ି ବାନ୍ଧିବା ଲାଗି ପତ୍ର ସଞ୍ଚିତ ରଖନ୍ତି । 

ବନ ବିଭାଗର କେନ୍ଦୁ ଲିଫ୍ ରେଞ୍ଜ ପକ୍ଷରୁ ମୋଟ ୮ ହଜାର ୨୭୨ ଜଣ ତୋଳାଳିଙ୍କ ଠାରୁ ୩ ଟଙ୍କା ୨୦ ପଇସାରେ ୧ କୋଟି ୫୭ ଲକ୍ଷ ବିଡ଼ା କେନ୍ଦୁପତ୍ର ୫ କୋଟି ଟଙ୍କା ବିନିମୟରେ କିଣା ହୋଇଛି । ଏଥି ସହ ତୋଳାଳିଙ୍କ ପାଇଁ ଅତିରିକ୍ତ ବୋନସ୍‌ ସାଙ୍ଗକୁ ଟୋପି, ଜୋତା, ଅଖା ସାଙ୍ଗକୁ ଜୀବନବୀମା ବ୍ୟବସ୍ଥା ହୋଇଛି । ବେସରକାରୀ ସଂସ୍ଥାମାନେ ୪ରୁ ୫ ଟଙ୍କା ଦରରେ ୫ କୋଟିରୁ ଊର୍ଦ୍ଧ୍ବ ବିଡ଼ା କ୍ରୟ କରିଥିବା ବେଳେ ୨୫ କୋଟି ଟଙ୍କା ସିଧାସଳଖ ନଗଦ ଆକାରରେ ପୈଠ କରିଛନ୍ତି । ଆଉ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ଚଳିତ ବର୍ଷ ମୋଟ ୩୦ କୋଟି ଟଙ୍କାର ବ୍ୟବସାୟ ହୋଇଛି । ମାଲକାନଗିରି ଜିଲ୍ଲାରେ ପ୍ରାକୃତିକ ଜଙ୍ଗଲ ଜାତ ଦ୍ରବ୍ୟ ଜିଲ୍ଲାବାସୀଙ୍କୁ ସ୍ୱାବଲମ୍ବୀ କରିଥିବା ବେଳେ କେନ୍ଦୁପତ୍ର ଜିଲ୍ଲାବାସୀଙ୍କ ଆର୍ଥୀକ ସ୍ଥିତିକୁ ସ୍ୱଚ୍ଛଳ କରୁଛି ।