କନକ ବ୍ୟୁରୋ : ୯ଟା ସ୍କୁଲରେ ଜଣେ ଶିକ୍ଷକ, ୩ଟି ସ୍କୁଲରେ ଶିକ୍ଷକ ନାହାନ୍ତି, ଗୋଟିଏ ସ୍କୁଲରେ ୩ପିଲାକୁ ୩ ଜଣ ଶିକ୍ଷକ । କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି ଏହି ବିଚିତ୍ର ଶିକ୍ଷା ବ୍ୟବସ୍ଥା । ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀଙ୍କ ନାକ ତଳେ ଏଭଳି ଚାଲିଥିଲେ ବି ସଲାସୁତୁରାରେ ସବୁ କିଛି ଚାଲିଥିବାରୁ ସମସ୍ତେ ଚୁପ୍ ଥିବା କୁହାଯାଉଛି ।
କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଚିତ୍ର । କେନ୍ଦ୍ରାପଡ଼ା ବଡ଼ହାଟ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ଦୁଇ ଜଣ ଓ ଦ୍ୱିତୀୟ ଶ୍ରେଣୀରେ ଜଣେ ପିଲା ପାଠ ପଢ଼ୁଛନ୍ତି । କିନ୍ତୁ ଶିକ୍ଷକ ଅଛନ୍ତି ୩ଜଣ । ସୂଚନା ଅନୁସାରେ, ମାସକ ପୂର୍ବରୁ ଦୁଇ ଜଣ ଶିକ୍ଷକ ଥିଲେ । ମାସେ ପୂର୍ବରୁ ଆଉ ଜଣେ ଶିକ୍ଷକଙ୍କୁ ବଦଳି କରି ଏହି ସ୍କୁଲରେ ନିଯୁକ୍ତି ଦିଆଯାଇଛି । ଏଣୁ ମାତ୍ର ୩ଜଣ ପିଲାଙ୍କ ପାଇଁ ନିଯୁକ୍ତ ହୋଇଛନ୍ତି ୩ଜଣ ଶିକ୍ଷକ ।
ଆଶ୍ଚର୍ଯ୍ୟର କଥା ହେଉଛି କେନ୍ଦ୍ରାପଡ଼ା ବ୍ଲକରେ ୮ ଟି ସ୍କୁଲରେ ପିଲା ଭରପୂର ଥିଲେ ବି ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି ପାଠପଢ଼ା । ଏପରିକି ୩ଟି ସ୍କୁଲରେ ଆଦୌ ଶିକ୍ଷକ ନାହାନ୍ତି ବୋଲି ଜଣାପଡ଼ିଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ୬୯ଟି ସ୍କୁଲ ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି । ବାରମ୍ବାର ଦାବି ସତ୍ତ୍ୱେ ସେହି ସବୁ ସ୍କୁଲରେ କିନ୍ତୁ ଆଉ ଶିକ୍ଷକ ନିଯୁକ୍ତି ଦିଆଯାଉନି । ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ତେବେ ସଂଶୋଧନ କରାଯିବ ବୋଲି କହିଛନ୍ତି ବ୍ଲକ ଶିକ୍ଷାଧିକାରୀ ।
ତେବେ ପ୍ରଶ୍ନ ଉଠୁଛି, ଯେଉଁ ସ୍କୁଲରେ ଶିକ୍ଷକ ନାହାନ୍ତି ସେଠି ନିଯୁକ୍ତି ନଦେଇ ପିଲା ନଥିବା ବିଦ୍ୟାଳୟରେ କାହିଁକି ଦିଆଯାଉଛି ନିଯୁକ୍ତି ? ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କ ଦୃଷ୍ଟି ପଡ଼ୁନି କେମିତି ? ଶିକ୍ଷକ ନିଯୁକ୍ତି ପଛରେ ହୋଇଛି କି ବଡ଼ ଡିଲ୍ ?