କନକବ୍ୟୁରୋ : ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ସମେତ ତିନି ଜଣଙ୍କୁ ରିମାଣ୍ଡରେ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି । ୬ ଜିଲ୍ଲାରେ ଡକ୍ଟର ମହାନ୍ତିଙ୍କ ପରୋକ୍ଷ ସହଯୋଗରେ ପ୍ରଶ୍ନପତ୍ର ବିକ୍ରି ହୋଇଥିଲା । ତେବେ କେଉଁମାନଙ୍କ ନିକଟକୁ ଏହି ପ୍ରଶ୍ନପତ୍ର ଯାଇଛି , ସେ ନେଇ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣି ଖୋଳତାଡ଼ ଆରମ୍ଭ କରିବାକୁ ଯାଉଛି । ଏମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି ।
ଡକ୍ଟର ମହାନ୍ତିଙ୍କୁ ରବିବାର କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ପ୍ରଶ୍ନପତ୍ର ଲିକ୍ ପଛରେ ହୋଇଥିବା ବଡ଼ ଧରଣର ଆର୍ଥିକ ଡିଲ୍ ସାମନାକୁ ଆସିଛି । ଡକ୍ଟର ମହାନ୍ତି ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ମାଧ୍ୟମରେ ନଗଦ ଆକାରରେ ଆର୍ଥିକ କାରବାର କରିଥିବା କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
ଜିତନ ମାଧ୍ୟମରେ ପ୍ରଶ୍ନପତ୍ର ରାଜ୍ୟ ପୂର୍ବତନ କ୍ୟାଡର୍ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ରଙ୍କ ନିକଟରେ ପହଞ୍ଚିବା ପରେ କଟକ ସମେତ ଗଞ୍ଜାମ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ବାଲେଶ୍ବର ଜିଲ୍ଲାରେ ବିକ୍ରି ହୋଇଥିଲା । ଡକ୍ଟର ମହାନ୍ତିଙ୍କଠାରୁ ବିଜୟଙ୍କ ଯାଏଁ ପ୍ରଶ୍ନପତ୍ର କାରବାର ଓ ବିକ୍ରି ପଛର କାର୍ପଟଦାର ବୋଲି ସ୍ପଷ୍ଟ ପ୍ରମାଣ ମିଳିଛି । ତେଣୁ କ୍ରାଇମବ୍ରାଞ୍ଚ ତିନି ଦିନିଆ ରିମାଣ୍ଡରେ ଏମାନଙ୍କୁ ଆଣିବାକୁ ଯୋଜନା କରୁଛି । ରିମାଣ୍ଡରେ ଆସିବା ପରେ ସେମାନଙ୍କୁ ସାମନାସାମନି ଜେରା କରାଯିବ ।
ବିଜୟ ଏହି ପ୍ରଶ୍ନପତ୍ରକୁ କୋରାପୁଟ ଜିଲ୍ଲା ପୂର୍ବତନ କ୍ୟାଡର୍ ଶିକ୍ଷକ ସଂଘର ସଭାପତି ସନାତନ ବିଷୋୟୀଙ୍କ ମାଧ୍ୟମରେ ବିକ୍ରି ପାଇଁ ଛାଡ଼ିଥିଲା । ତେବେ ଏହି ଆର୍ଥିକ କେଳେଙ୍କାରୀରେ ବର୍ତ୍ତମାନ ସୁଦ୍ଧା କେବଳ ଜିତନଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୫୦ ହଜାର ଟଙ୍କା ଫୋନ୍ ପେ’ରେ ଆସିଥିବାର ଡିଜିଟାଲ୍ ପ୍ରମାଣ ମିଳିଛି ।
ଏହାବାଦ୍ ଅନ୍ୟ କୌଣସି ଡିଜିଟାଲ୍ ପ୍ରମାଣ ମିଳିନଥିବାରୁ କ୍ରାଇମବ୍ରାଞ୍ଚ ବୋର୍ଡ ଉପସଭାପତି ଡକ୍ଟର ମହାନ୍ତି, ଜିତନ ଓ ବିଜୟଙ୍କ ବ୍ୟାଙ୍କ ଆକାଉଣ୍ଟ ସମେତ ପରିବାର ଓ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ବି ଯାଞ୍ଚ ଆରମ୍ଭ କରିଛି । ଗଲା ଏପ୍ରିଲରୁ ଡକ୍ଟର ମହାନ୍ତି ୧୦୦ ଥର ଜିତନଙ୍କ ସହିତ ଅଫିସ ସମୟ ବାଦ୍ କଥାବାର୍ତ୍ତା ହୋଇଥିବାରୁ ଆର୍ଥିକ କାରବାର ସମ୍ପର୍କିତ ଗଲା ଦୁଇ ମାସର ତଥ୍ୟ ମଗାଯାଇଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି ।