ବାତ୍ୟା ‘ଦାନା’ ସମୟର ଦେବଦୂତ । ଆଶା ଦିଦି ଶିବାନୀ ମଣ୍ଡଳଙ୍କୁ ନେଇ ଚର୍ଚ୍ଚା ।

ବାତ୍ୟା ‘ଦାନା’ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଜଣେ ଆଶା କର୍ମୀ ଶିବାନୀ ମଣ୍ଡଳ ଦେବଦୂତ ଭଳି ଆଗେଇ ଆସିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଫୋନ ଯୋଗେ ଶିବାନୀଙ୍କ ସହ କଥା ହୋଇ ତାଙ୍କୁ ପ୍ରଶଂସା କରିଛନ୍ତି ।

ଅଦ୍ୟତନ ହୋଇଛି
KDP

କନକ ବ୍ୟୁରୋ: ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍ ପୂର୍ବରୁ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ପ୍ରଶାସନ ଆଗରେ ଥିଲା ବଡ଼ ଚ୍ୟାଲେଞ୍ଜ । ବିଶେଷକରି ବୃଦ୍ଧ, ବୃଦ୍ଧା ଓ ଗର୍ଭବତୀମାନେ ବାତ୍ୟା ଆଶ୍ରୟସ୍ଥଳୀ ଓ ରିଲିଫ କ୍ୟାମ୍ପରେ କେମିତି ପହଞ୍ଚିବେ, ସେଥିପାଇଁ ପ୍ରାଣପଣେ ଚେଷ୍ଟା କରିଥିଲା ପ୍ରଶାସନ । ତେବେ ଏତିକି ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଜଣେ ଆଶା କର୍ମୀ ଦେବଦୂତ ଭଳି ଆଗେଇ ଆସିଥିଲେ । କିଏ ଏହି ଆଶା କର୍ମୀ, ଯାହାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ? 

ବାତ୍ୟା ‘ଦାନା’ର ଭୟାବହତା ଭିତରେ ଏବେ ଚର୍ଚ୍ଚା ସାଉଣ୍ଟିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଆଶା କର୍ମୀ ଶିବାନୀ ମଣ୍ଡଳ । ତଳିଆ ଅଞ୍ଚଳ ଲୋକଙ୍କୁ ଯେତେବେଳେ ସୁରକ୍ଷିତ ସ୍ଥାନକୁ ନେବା, ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ଥିଲା, ସେତେବେଳେ ଦେବଦୂତ ଭଳି ଆଗେଇ ଆସିଥିଲେ ଶିବାନୀ ମଣ୍ଡଳ । କାଦୁଅ ପଚପଚ ରାସ୍ତାରେ ବୃଦ୍ଧା ଓ ଗର୍ଭବତୀଙ୍କୁ କାନ୍ଧରେ ବୋହି ପହଞ୍ଚାଇଥିଲେ ବାତ୍ୟା ଆଶ୍ରୟସ୍ଥଳ । ସେବା କରିବାର ମନୋବୃତ୍ତି ରଖିଥିବା ଶିବାନୀ ୬ ଜଣ ବୃଦ୍ଧା ଓ ଜଣେ ଗର୍ଭବତୀଙ୍କୁ ନିଜ କାନ୍ଧରେ ପକାଇ ରିଲିଫ କ୍ୟାମ୍ପରେ ପହଞ୍ଚାଇଥିଲେ । ଯାହା କନକ ନ୍ୟୁଜ କ୍ୟାମେରାରେ କଏଦ୍ ହୋଇଥିଲା । 

ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଆଶା କର୍ମୀ ଶିବାନୀ ଯେଉଁଭଳି ସାହସ ଜୁଟେଇ ଏହି ମହାନ୍ କାମ କଲେ, ତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ଆଶା ଦିଦି ଶିବାନୀ ମଣ୍ଡଳଙ୍କ ପ୍ରୟାସ ସମସ୍ତଙ୍କ ପାଇଁ ପ୍ରେରଣା । ସେହିପରି ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଶିବାନୀଙ୍କ କାର୍ୟ୍ୟକୁ ପ୍ରଶଂସା କରିଛନ୍ତି । ବୃଦ୍ଧା ଓ ଗର୍ଭବତୀଙ୍କୁ କାନ୍ଧରେ ବୋହି ଆଶ୍ରୟସ୍ଥଳୀରେ ପହଞ୍ଚାଇଥିବା ଶିବାନୀ ମଣ୍ଡଳଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ପଡିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe