କନକ ବ୍ୟୁରୋ : ଆମ୍ ଆଦ୍ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ୍ ଆଜି ଦିଲ୍ଲୀ ଜନ୍ତରମନ୍ତରରେ ଆୟୋଜିତ ହୋଇଥିବା ‘ଜନତା କି ଅଦାଲତ’ରେ ଭାଗ ନେଇଥିଲେ । ଏଥିସହ ସେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେଜ୍ରିଓ୍ବାଲ୍ କହିଛନ୍ତି, ଦୁର୍ନୀତିଖୋର ନେତାଙ୍କ ପରି ତାଙ୍କର ମୋଟା ଚମଡ଼ା ନାହିଁ । ସେ ଜଣେ ନେତା ନୁହନ୍ତି, ଜନତାଙ୍କ ବନ୍ଧୁ । ଜୀବନରେ କେବଳ ସମ୍ମାନ ହାସଲ କରିଛନ୍ତି ଏବଂ ସଚ୍ଚୋଟତାର ସହ ଦାୟିତ୍ବ ତୁଲଇଛନ୍ତି । ଦିଲ୍ଲୀର ସମସ୍ତ ୭୦ ବିଧାନସଭା ନିର୍ବାଚନମଣ୍ଡଳୀରେ ଲୋକ ଅଦାଲତ ଗଠନ କରିବ ଦଳ ।
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ଜାମିନ ପାଇବା ପରେ କେଜ୍ରିଓ୍ବାଲଙ୍କୁ ସେପ୍ଟେମ୍ବର ୧୩ରେ ତିହାର ଜେଲରୁ ମୁକ୍ତ କରାଯାଇଥିଲା । ସେପ୍ଟେମ୍ବର ୧୫ରେ ସେ ଘୋଷଣା କରିଥିଲେ ଯେ, ଦୁଇ ଦିନ ପରେ ତାଙ୍କ ପଦରୁ ଇସ୍ତଫା ଦେବେ। ସେପ୍ଟେମ୍ବର ୧୭ରେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ସେ କହିଥିଲେ, ଯେପର୍ୟ୍ୟନ୍ତ ସେ ସର୍ବସାଧାରଣଙ୍କ କୋର୍ଟରେ ନିଜର ସଚ୍ଚୋଟତା ପ୍ରମାଣ ନକରନ୍ତି ସେ ପର୍ୟ୍ୟନ୍ତ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଚେୟାରରେ ବସିବେ ନାହିଁ ।