କନକ ବ୍ୟୁରୋ : ବାଂଲାଦେଶୀ ଅନୁପ୍ରେବେଶ ରୋକିବା ପାଇଁ ଓଡ଼ିଶା ପୁଲିସ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରିଛି । ଜଳସୀମା ଉପରେ ଡ୍ରୋନ୍ ଯୋଗେ ନଜର ରଖାଯିବ । ଆହୁରି ଅନେକ ନିଷ୍ପତ୍ତି ନିଆଯାଇଥିବା ପୁଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ଭୁବନେଶ୍ୱର ରେଳ ଷ୍ଟେସନରୁ ନିକଟରେ ୧୦ଜଣ ବାଂଲାଦେଶୀ ଗିରଫ ପରେ ସ୍ପେଶାଲ ଡ୍ରାଇଭକୁ ବ୍ୟାପକ କରାଯାଇଛି । ବାଂଲାଦେଶୀ ଏବେ ସ୍ପେଶାଲ ସର୍ଭେଲାନ୍ସରେ ଅଛନ୍ତି । ବିନା ପାସପୋର୍ଟ ଓ ଭିସାରେ ଅନୁପ୍ରବେଶ କରି ରାଜଧାନୀ ଭୁବନେଶ୍ୱର ଆଖପାଖରେ ଡେରା ପକାଉଥିବା ବାଂଲାଦେଶୀଙ୍କ ଉପରେ ପୁଲିସ କଡ଼ା ନଜର ରଖିଛି । ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ କଡ଼ା ପାଟ୍ରୋଲିଂ ସହ ଛଦ୍ମବେଶୀଙ୍କୁ ସ୍କାନରରେ ରଖିବା ପାଇଁ ଏସପିମାନଙ୍କୁ ପୁଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।
ଅନୁପ୍ରବେଶୀ ଓ ଜଳଦସ୍ୟୁଙ୍କୁ ଜଗିବ ଡ୍ରୋନ୍ । ଜଳପଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଓଡ଼ିଶା ପୁଲିସ ପ୍ରସ୍ତୁତି କରୁଛି । ଉପକୂଳରେ ପାଟ୍ରୋଲିଂ ପାଇଁ ଅଭିଜ୍ଞ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ରାଜ୍ୟରେ ୪୮୦ କିଲୋମିଟର ଉପକୂଳରେ ୧୮ଟି ମେରାଇନ ଥାନା ଥିବା ବେଳେ ୧୫ଟି ବୋଟ୍ ପାଟ୍ରୋଲିଂ ପାଇଁ ରହିଛି । ୧୦ଟି ନୂଆ ଫିସିଂ କ୍ରାଫ୍ଟ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଛି । ଇଣ୍ଟରସେଫ୍ଟର ବୋଟ ମଧ୍ୟ ବ୍ୟବହାର କରାଯିବ ।
ଅନୁପ୍ରବେଶୀ ବାଂଲାଦେଶୀଙ୍କ ଦ୍ୱାରା ନିଶା କାରବାର, ବନ୍ଧୁକ ଚାଲାଣ, ଜାଲ ନୋଟ ବ୍ୟବହାର ଆଦି ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ଓଡ଼ିଶା ପୁଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।