ଶୀତଋତୁ ମାନେ ଥଣ୍ଡା , କାଶର ଋତୁ । ବାୟୁମଣ୍ଡଳରେ ଥଣ୍ଡାର ପବନ ବହିବା ସଙ୍ଗେ ସଙ୍ଗେ ମଣିଷ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼େ । ଯୁଆଡ଼େ ଦେଖିବ ଖାଲି ଖୁଁ ଖୁଁ ଆଉ ଛୁଁ ଛୁଁ । ଏଭଳି ସ୍ଥିତିରେ ଔଷଧ ଖାଇ ବିଶ୍ରାମ ନନେଲେ ଥଣ୍ଡା ଛାଡ଼ିବାଟା କାଠିକର ପାଠ । ତେବେ ଅଫିସରେ ତ ଆଉ ଥଣ୍ଡା , କାଶ ପାଇଁ ଛୁଟି ଦିଆଯିବନି । କଷ୍ଟମଷ୍ଟେ କର୍ମକ୍ଷେତ୍ରକୁ ଯିବାକୁ ହିଁ ପଡ଼େ । ଯଦି ଆପଣ ବି ଏଭଳି ସ୍ଥିତିରେ କାର୍ଯ୍ୟାଳୟକୁ ଯାଉଛନ୍ତି ତେବେ ଆପଣଙ୍କ ସହକର୍ମୀଙ୍କୁ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ତା’ଛଡ଼ା ବାରମ୍ବାର କାଶ , ଛିଙ୍କ କାମରେ ମଧ୍ୟ ପ୍ରଭାବ ପକାଏ । ଏହି ସ୍ଥିତିରେ ଜରୁରୀ ସାବଧାନତା ଆପଣାଇ ଆପଣ ନିଜକୁ ଏବଂ ସହକର୍ମୀଙ୍କୁ ସୁରକ୍ଷା ଦେଇପାରିବେ ।
ମାସ୍କ୍ ପିନ୍ଧନ୍ତୁ :
ଶରୀରରୁ ଥଣ୍ଡା ଛାଡୁନଥିଲେ ମାସ୍କ୍ ପିନ୍ଧି ଅଫିସ୍ ଯାଆନ୍ତୁ । ଖାସ୍ କରି କଥାବାର୍ତ୍ତା ହେବା ସମୟରେ ମାସ୍କ୍ ପିନ୍ଧନ୍ତୁ ଯାଦ୍ବାରା ଆପଣଙ୍କ ଦ୍ବାରା ଅନ୍ୟ କେହି ସଂକ୍ରମଣ ହେବେନାହିଁ । ଆପଣ ଏନ୯୫ କିମ୍ବା ସର୍ଜିକାଲ୍ ମାସ୍କର ବ୍ୟବହାର କରିପାରନ୍ତି । ଯାହାଦ୍ବାରା ଭାଇରସ୍ ଏବଂ ବ୍ୟାକ୍ଟେରିଆକୁ ବ୍ୟାପିବାରୁ ରୋକାଯାଇପାରିବ ।
ସାନିଟାଇଜ୍ କରନ୍ତୁ :
ହାତକୁ ନିୟମିତ ଭାବରେ ସାନିଟାଇଜ୍ କରନ୍ତୁ । ଖାସ୍ କରି କାଶ ଏବଂ ଛିଙ୍କ ଆସିବା ସମୟରେ ସାନିଟାଇଜ୍ କରିବା ଅଭ୍ୟାସ କରନ୍ତୁ । ଅଫିସ୍ ଡେସ୍କ୍ ଯେଉଁଠି ଆପଣ ବସି କାମ କରୁଛନ୍ତି ସେଠାରେ ସାନିଟାଇଜର୍ ରଖନ୍ତୁ ଏବଂ ସହକର୍ମୀଙ୍କ ସହ ହ୍ୟାଣ୍ଡସେକ୍ କରିବାରୁ ଦୂରେଇ ରୁହନ୍ତୁ ।
ସହକର୍ମୀଙ୍କଠାରୁ ଦୂରେଇ ରୁହନ୍ତୁ :
ଶରୀରକୁ ଥଣ୍ଡା, କାଶ ଆକ୍ରମଣ କଲେ ସହକର୍ମୀଙ୍କଠାରୁ ୧ ମିଟର ଦୂରତା ବଜାୟ ରଖନ୍ତୁ । ଯଦି ଅଫିସର କୌଣସି ମିଟିଂରେ ସାମିଲ୍ ହେଉଛନ୍ତି ତାହେଲେ ମାସ୍କ୍ ପିନ୍ଧି ମିଟିଂରେ ଭାଗ ନିଅନ୍ତୁ ଏବଂ ସମସ୍ତଙ୍କଠାରୁ ଦୂରେଇ ବସନ୍ତୁ ।
ଟିସ୍ୟୁ , ରୁମାଲ୍ ସାଙ୍ଗରେ ରଖନ୍ତୁ :
କାଶିବା ବା ଛିଙ୍କିବା ସମୟରେ ମୁହଁରେ ଟିସ୍ୟୁ ବା ରୁମାଲ୍ ଦେଇ ଛିଙ୍କନ୍ତୁ । ବ୍ୟବହାର ଟିସ୍ୟୁକୁ ବାରମ୍ବାର ମୁହଁରେ ନମାରି ଡଷ୍ଟବିନରେ ଫୋପାଡନ୍ତୁ । କିବୋର୍ଡ , ମାଉସ୍ , ଫୋନ୍ ଏବଂ ଡେସ୍କ୍ କୁ କାମ ଆରମ୍ଭ କରିବା ପୂର୍ବରୁ ସାନିଟାଇଜରରେ ସଫା କରିନିଅନ୍ତୁ ।