କନକ ବ୍ୟୁରୋ, ମୋଦୀ ସରକାରଙ୍କ ଫୋକସରେ ପିଓକେ । ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେ ଖାଲି କରୁ ପାକିସ୍ତାନ । ଜାମ୍ମୁ କାଶ୍ମୀର ସହ ଜଡ଼ିତ ଯେକୌଣସି ପ୍ରସଙ୍ଗ ସବୁବେଳେ ଦ୍ବିପାକ୍ଷିକ, ଏଥିରେ କୌଣସି ତୃତୀୟ ପକ୍ଷକୁ ଗ୍ରହଣ କରାଯିବ ନାହିଁ । ବୈଦେଶିକ ମନ୍ତ୍ରଣାଳୟ ପ୍ରେସମିଟ୍ କରି ଏହି ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛି । ତୃତୀୟ ପକ୍ଷ କଥା କହି ସିଧାସଳଖ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଡକୁ ଇଙ୍ଗିତ କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ । ସେ କହିଛନ୍ତି, ପିଓକେକୁ ବେଆଇନ୍ ଭାବେ କବ୍‌ଜା କରିଛି ପାକିସ୍ତାନ । ଏହାକୁ ତୁରନ୍ତ ଖାଲି କରିବାର ଆବଶ୍ୟକତା ରହିଛି । ଭାରତର ଏହି ନୀତି ଦୀର୍ଘ ବର୍ଷ ଧରି ରହିଆସିଛି । ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଦୋହରାଇଛି ବୈଦେଶିକ ମନ୍ତ୍ରଣାଳୟ । ମେ ୭ ତାରିଖରେ ଆରମ୍ଭ ହୋଇଥିଲା ଅପରେସନ୍ ସିନ୍ଦୂର । ତେବେ ୧୦ ତାରିଖ ଦିନ ଭାରତ ଓ ପାକିସ୍ତାନ ଡିଜିଏମ୍‌ଓଙ୍କ ମଧ୍ୟରେ ଆଲୋଚନା ପରେ ଯୁଦ୍ଧ ବିରାମ ନେଇ ସହମତି ହୋଇଥିଲା । ଏହି କଥାବାର୍ତ୍ତା ପାଇଁ ସେହି ଦିନ ୧୨ଟା ୩୭ ମିନିଟରେ ପାକିସ୍ତାନ ପକ୍ଷରୁ ଅନୁରୋଧ କରାଯାଇଥିଲା । ତେବେ ଏହା ପାକିସ୍ତାନ ପାଇଁ ବାଧ୍ୟବାଧକତା ଥିଲା । କାରଣ ସେହିଦିନ ସକାଳେ ଭାରତୀୟ ବାୟୁସେନାର ଯବାନମାନେ ପାକିସ୍ତାନର ପ୍ରମୁଖ ଏୟାରଫୋର୍ସ ଠିକଣାରେ ପ୍ରଭାବଶାଳୀ ଆକ୍ରମଣ କରିଥିଲେ ବୋଲି ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ, ଭାରତୀୟ ସୈନିକଙ୍କ ଆଗରେ ପାକିସ୍ତାନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିଲା । 

Advertisment

ପୁଣି ଚର୍ଚ୍ଚାରେ ପିଓକେ
୧୯୪୭ ପୂର୍ବରୁ ଜମ୍ମୁକାଶ୍ମୀର ଗଡ଼ଜାତ ରାଜ୍ୟ ଥିଲା
ହିନ୍ଦୁ ଶାସକ ମହାରାଜା ହରି ସିଂ ଶାସନ କରୁଥିଲେ
୧୯୪୭ ପରେ ପାକିସ୍ତାନ କବଜାରେ ରହିଛି ପିଓକେ
୧୯୭୦ରେ ଗିଲଗିଟ ବାଲଟିସ୍ତାନ ଓ ପିଓକେ ଦୁଇଟି ଭାଗରେ ବିଭକ୍ତ କଲା ପାକିସ୍ତାନ
ପିଓକେର ଆକାର ୫,୧୩୪ ବର୍ଗ କିଲୋମିଟର
ପିଓକେର ରାଜଧାନୀ ମୁଜାଫରାବାଦ
୬୦ ଲକ୍ଷ ଲୋକ ଏଠାରେ ବସବାସ କରନ୍ତି 
ପିଓକେକୁ ଦୁଇ ଭାଗ କରିବା ପୂର୍ବରୁ କିଛି ଅଂଚଳ ଚୀନକୁ ଦେଇଛି ପାକିସ୍ତାନ
୧୯୬୩ରେ ପ୍ରାୟ ୧୯୦୦ ବର୍ଗ କିମି ଅଂଚଳ ଦେଇଛି ପାକିସ୍ତାନ
ପାକ୍ ଚୀନକୁ ଦେଇଥିବା ଅଂଚଳ ଚୀନର ବଡ଼ କରିଡ଼ର
ଏହାକୁ ପାକ୍-ଚୀନ୍ ଇକୋନୋମିକ କରିଡର କୁହାଯାଏ