କନକ ବ୍ୟୁରୋ: ମଝି ଆକାଶରେ ଖସିପଡ଼ିଲା ହେଲିକପ୍ଟର। ଉତ୍ତରାଖଣ୍ଡ କେଦାରନାଥରେ ମନ୍ଦାକିନି ନଦୀ କୂଳରେ ମଝି ଆକାଶରୁ ଖସିପଡ଼ିଲା ହେଲିକପ୍ଟର। ଏମଆଇ-୧୭ ଜରିଆରେ ଏକ ଖରାପ ହେଲିକପ୍ଟରକୁ ଅଣାଯାଉଥିବା ବେଳେ ଅଧିକ ଓଜନ ଓ ଜୋର ପବନ ବହିବା କାରଣରୁ ମଝି ଆକାଶରେ ଖରାପ ହେଲିକପ୍ଟରକୁ ଖସାଇ ଦେଇଛି ବାୟୁସେନାର ଏମଆଇ-୧୭ ବିମାନ। 

କେଦାରନାଥ ଧାମରେ ଘରୋଇ କମ୍ପାନୀର ଏକ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ବାୟୁସେନାର ଏକ ଏମଆଇ-୧୭ ବିମାନ ଜରିଆରେ ଏହାକୁ ତଳକୁ ଆଣିବା ବେଳେ ଅଧିକ ଓଜନ ଓ ଜୋର ପବନ ବହିବା କାରଣରୁ ହେଲିକପ୍ଟରଟି ଦୋହଲିବାକୁ ଲାଗିଥିଲା। ତେଣୁ ସୁରକ୍ଷା ଦୃଷ୍ଟିରୁ ଖାଲି ଜାଗା ଦେଖି ମଝି ଆକାଶରେ ଏହାକୁ ଖସାଇ ଦିଆଯାଇଛି। ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଏନେଇ ବାୟୁସେନା ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। କେଦାରନାଥରୁ ଉଡ଼ାଣ ଭରିବାର ମାତ୍ର କିଛି ସମୟ ପରେ ଖରାପ ହେଲିକପ୍ଟରଟି ମଝି ଆକାଶରେ ଦୋହଲିବାକୁ ଲାଗିଥିଲା। ତେଣୁ ଏହାକୁ ଖସାଇ ଦିଅଯାଇଛି। ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଖରାପ ହୋଇଥିବା ହେଲିକପ୍ଟରକୁ କେଦାରନାଥରୁ ଗୌଚର ଏୟାରଷ୍ଟ୍ରିପକୁ ଅଣାଯାଉଥିଲା। ଘଟଣାସ୍ଥଳରେ ଏସଡିଆରଏଫ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଆବଶ୍ୟକ ଉପକରଣ ଏବଂ ଅତିରିକ୍ତ ଦଳ ପଠାଇଛନ୍ତି। ଯାଞ୍ଚ ଜାରି ରହିଛି।
 

ଏକ ଘରୋଇ କମ୍ପାନୀ ଦ୍ୱାରା ପରିଚାଳିତ ଏହି ହେଲିକପ୍ଟର ପୂର୍ବରୁ ଯାତ୍ରୀମାନଙ୍କୁ କେଦାରନାଥ ମନ୍ଦିରକୁ ନେବା ଆଣିବା କରୁଥିଲା। ତେବେ ମେ' ୨୪ରେ ଅବତରଣ ସମୟରେ ଯାନ୍ତ୍ରିକ ତ୍ରୁଟି ହେତୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ଏହି ହେଲିକପ୍ଟରକୁ ମରାମତି ଉଦ୍ଦେଶ୍ୟରେ ଏମଆଇ-୧୭  ବିମାନ ସାହାଯ୍ୟରେ ଏୟାରଲିଫ୍ଟ କରାଯାଇ ଗୌଚର ଏୟାରଷ୍ଟ୍ରିପକୁ ପଠାଯାଉଥିଲା।