କନକ ବ୍ୟୁରୋ; ରଣକ୍ଷେତ୍ର ପାଲଟିଲା ନେପାଳ ରାଜଧାନୀ । ସରକାରଙ୍କ ବିରୋଧରେ ଏକାଠି ହେଲେ ହଜାର ହଜାର ଯୁବବର୍ଗ। ଦେଶରେ ସୋସିଆଲ ମିଡିଆ ଆପ୍ ବ୍ୟାନ୍ ପରେ ରାଜରାସ୍ତାରେ ତୀବ୍ର ହିଂସାତ୍ମକ ପ୍ରଦର୍ଶନ କରିଛନ୍ତି ଜେନ୍-ଜି ଯୁବବର୍ଗ । ରାଜଧାନୀ କାଠମାଣ୍ଡୁ ସମେତ ଅନେକ ସହରରେ ପ୍ରଦର୍ଶନ ଦେଖିବାକୁ ମିଳିଛି । ହଜାର ହଜାର ଯୁବ ପ୍ରଦର୍ଶନକାରୀ ସଂସଦ ଭିତରେ ଅନୁପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ପୁଲିସ ଲୁହବୁହା ଗ୍ୟାସ ଓ ପାଣି ସ୍ପ୍ରେ’ କରିଛି । ଏପରିକି ପୁଲିସ ଗୁଳିମାଡ଼ରେ ୯ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆଘାତପ୍ରାପ୍ତ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ କାଠମାଣ୍ଡୁର କିଛି ସ୍ଥାନରେ କର୍ଫ୍ୟୁ ଜାରି ହୋଇଛି । 

Advertisment

ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଆବାସ ନିକଟରେ ସେନା ମୁତୟନ କରାଯାଇଛି । ଗତ ସେପ୍ଟେମ୍ବର ୪ ତାରିଖରେ ଫେସବୁକ୍, ଏକ୍ସ, ଇନଷ୍ଟ୍ରାଗ୍ରାମ ଓ ହ୍ବାଟ୍ସଆପ୍ ସମେତ ୨୬ଟି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଉପରେ କଟକଣା ଲଗାଇଛନ୍ତି। ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଦେଶରେ ଆନୁଷ୍ଠାନିକ ଭାବରେ ପଞ୍ଜିକରଣ କରିବା ପାଇଁ ସ୍ଥାନୀୟ ନିୟମ ପାଳନ କରୁନଥିବାରୁ ଏହାକୁ ନିଷେଧ କରାଯାଇଛି । ସରକାରଙ୍କ ଅନୁଯାୟୀ, ଦୁଇ ସପ୍ତାହ ପୂର୍ବରୁ ନେପାଳର ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ, ସମସ୍ତ ଅନଲାଇନ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ– ଦେଶୀ ହେଉ କିମ୍ବା ବିଦେଶୀ– ବାଧ୍ୟତାମୂଳକ ଭାବରେ ଏକ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ପଞ୍ଜୀକରଣ କରିବାକୁ ପଡିବ । ଏହି ନିଷ୍ପତ୍ତି ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଗତ ଆଧାର ପ୍ରଦାନ କରେ । ଏବେ ଏହି ବ୍ୟାନକୁ ନେଇ ନେପାଳରେ ମହାଭାରତ ଆରମ୍ଭ ହୋଇଯାଇଛି ।