କନକ ବ୍ୟୁରୋ: ପ୍ରସିଦ୍ଧ କଥାବାଚକ ଅନିରୁଦ୍ଧାଚାର୍ଯ୍ୟ ନିକଟରେ ମହିଳାଙ୍କ ଉପରେ ଦେଇଥିବା ଏକ ବୟାନକୁ ନେଇ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି, ଯାହାକି ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିବାଦଟି ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ କେନ୍ଦ୍ର କରି ତାଙ୍କର ଏକ ଟିପ୍ପଣୀରୁ ସୃଷ୍ଟି ହୋଇଥିଲା, ଯାହା ପରେ ତାଙ୍କୁ କ୍ଷମା ମାଗିବାକୁ ପଡିଥିଲା ।

Advertisment

ଏକ ପ୍ରବଚନ ସମୟରେ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିବାହ ସମ୍ପର୍କରେ କିଛି ମନ୍ତବ୍ୟ ଦେଇଥିଲେ । ରାଜା ରଘୁବଂଶୀଙ୍କ ହତ୍ୟା ମାମଲାର ଉଦାହରଣ ଦେଇ ସେ କହିଥିଲେ ଯେ ଆଜିକାଲିର କିଛି ଝିଅ ବିବାହ ପୂର୍ବରୁ ଅନ୍ୟ ସହ ସମ୍ପର୍କରେ ରହୁଛନ୍ତି । ତାଙ୍କର ଏକ ଭାଇରାଲ୍ ଭିଡିଓରେ ସେ କହିଥିଲେ, " ୨୫ ବର୍ଷୀୟା ଯୁବତୀ ମାନେ ବିବାହ ପୂର୍ବରୁ 4/5ଥର କୁମାରୀତ୍ୱ ହରାଉଛନ୍ତି " ଏହି ମାମଲାରେ ସେ କହିଥିଲେ ଯେ ପତ୍ନୀ ସୋନମ ରଘୁବଂଶୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ କାରଣ ତାଙ୍କର ଅନ୍ୟ କାହା ସହିତ ସମ୍ପର୍କ ଥିଲା । 

ତାଙ୍କର ଏହି ବୟାନ ମହିଳାଙ୍କୁ ଅପମାନିତ କରୁଥିବା ଅଭିଯୋଗ ହୋଇଥିଲା ଏବଂ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିବାଦ ବଢ଼ିବାରୁ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା । 

ବିବାଦ ବଢ଼ିବା ପରେ ଅନିରୁଦ୍ଧାଚାର୍ଯ୍ୟ ଏକ ସ୍ପଷ୍ଟୀକରଣ ଦେଇଥିଲେ। ସେ କହିଥିଲେ ଯେ ତାଙ୍କର କିଛି ଭଉଣୀ ଭୁଲ୍ ବୁଝିଛନ୍ତି କାରଣ ସେମାନେ ତାଙ୍କର ପୂରା ଭିଡିଓ ଦେଖିନାହାନ୍ତି । ତାଙ୍କ କହିବା ଅନୁଯାୟୀ, ସେ "କିଛି ଝିଅ"ଙ୍କ ବିଷୟରେ କହୁଥିଲେ ଯେଉଁମାନେ 'ଲିଭ୍-ଇନ୍' ସମ୍ପର୍କରେ ରହୁଛନ୍ତି ଏବଂ ଏଭଳି ଝିଅମାନେ ବିବାହ ପରେ ନିଜ ସମ୍ପର୍କକୁ ଠିକ୍ ଭାବେ ତୁଲାଇ ପାରିବେ କି ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଉଭୟ ପୁଅ ଓ ଝିଅଙ୍କ ଚରିତ୍ର ଭଲ ହେବା ଉଚିତ୍। ତାଙ୍କ ମନ୍ତବ୍ୟ ସମସ୍ତଙ୍କ ପାଇଁ ନୁହେଁ, ବରଂ କେବଳ "କିଛି ଲୋକ"ଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସେ ସ୍ପଷ୍ଟ କରିଥିଲେ । ଏହି ଘଟଣା ପାଇଁ ସେ କ୍ଷମା ମଧ୍ୟ ମାଗିଥିଲେ । 

କେବଳ ଏହି ଘଟଣା ନୁହେଁ ପୂର୍ବରୁ ଏମିତି ଅନେକ ଘଟଣା ଅନିରୁଦ୍ଧାଚାର୍ଯ୍ୟଙ୍କୁ ବିବାଦ ଘେରକୁ ନେଇ ଆସିଛି । ଏହା ପୂର୍ବରୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ସହ 'ଶୁଦ୍ର' ଶବ୍ଦକୁ ନେଇ ଅନିରୁଦ୍ଧାଚାର୍ଯ୍ୟଙ୍କର ଏକ ବିବାଦ ସାମ୍ନାକୁ ଆସିଥିଲା । ଏହି ଘଟଣାର ଏକ ପୁରୁଣା ଭିଡିଓ ପୁଣିଥରେ ଭାଇରାଲ ହେବା ପରେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିଲା । 

ଏହି ଦୁଇଟି ପ୍ରମୁଖ ବିବାଦ ବ୍ୟତୀତ ଅନିରୁଦ୍ଧାଚାର୍ଯ୍ୟ ଅନ୍ୟ କେତେକ କାରଣରୁ ମଧ୍ୟ ସମାଲୋଚିତ ହୋଇଛନ୍ତି । ପୂର୍ବରୁ ସେ ଭଗବାନ ଶିବ, ମାତା ସୀତା ଏବଂ ଦ୍ରୌପଦୀଙ୍କୁ ନେଇ ଦେଇଥିବା କିଛି ବୟାନ ପାଇଁ ମଧ୍ୟ ବିବାଦରେ ଫସିଥିଲେ । ସେହିପରି ରିଆଲିଟି ଶୋ' 'ବିଗ୍ ବସ୍'କୁ ସମାଲୋଚନା କରିଥିବା ଅନିରୁଦ୍ଧାଚାର୍ଯ୍ୟ ପରବର୍ତ୍ତୀ ସମୟରେ ସେହି ଶୋ'ରେ ଅତିଥି ଭାବେ ଯୋଗ ଦେବାରୁ ମଧ୍ୟ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।