କନକ ବ୍ୟୁରୋ : ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଏବେ ପୁରା ଜମ୍ମୁ-କାଶ୍ମୀରରେ ଅଶାନ୍ତିର ବାତାବରଣ । ଏହାରି ଭିତରେ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି । ଗଣମାଧ୍ୟମର ରିପୋର୍ଟ ମୁତାବକ କାଶ୍ମୀର ଘାଟି ଅଶାନ୍ତ ଭିତରେ କାଶ୍ମୀରୁ ଆସୁଥିବା କେସର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ରିପୋର୍ଟରେ କୁହାଯାଇଛି କି, ଏବେ କେସରର ମୂଲ୍ୟ କିଲୋଗ୍ରାମ ପ୍ରତି ୫ ଲକ୍ଷ ଟଙ୍କା ପାର କରିଛି । ଅର୍ଥାତ ଗୋଟିଏ କିଲୋ କେସରର ଦାମ ୫୦ ଗ୍ରାମ ସୁନାର ଦାମ ସହ ସମାନ ହୋଇସାରିଛି ।
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭଲ କ୍ୱାଲିଟିର କେସର କିଲୋପ୍ରତି ୫ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ଆକ୍ରମଣ ପୂର୍ବରୁ ଏହାର ଦାମ ୪ ଲକ୍ଷ ଟଙ୍କା ମଧ୍ୟରେ ରହିଥିଲା । ଅର୍ଥାତ ୨ ସପ୍ତାହ ମଧ୍ୟରେ କେସରର କିଲୋପ୍ରତି ଦାମ ୧ଲକ୍ଷ ଟଙ୍କା ବୃଦ୍ଧି ପାଇଛି ।
ଆତଙ୍କୀ ଆକ୍ରମଣ ପରେ ଭାରତ ତରଫରୁ ଅଟ୍ଟାରୀ-ୱାଘା ସୀମା ସିଲ୍ କରାଯାଇଛି । ଏହି କାରଣରୁ ପାକିସ୍ତାନ ସୀମା ଦେଇ ଆଫଗାନିସ୍ତାନ ଓ ଇରାନରୁ ଆସୁଥିବା କେସର ବନ୍ଦ ହୋଇଯାଇଛି ।
ଭାରତକୁ ପ୍ରତିବର୍ଷ ୫୫ ଟନ୍ କେସର ଆସିଥାଏ । କାଶ୍ମୀରରେ ବର୍ଷକୁ ମାତ୍ର ୬ ରୁ ୭ ଟନ୍ କେସର ଉତ୍ପାଦନ ହୋଇଥାଏ । ବାକି ଆବଶ୍ୟକତା ପୁରଣ କରିବାକୁ ଭାରତ ପଡୋଶୀ ଦେଶ ପାକିସ୍ତାନ, ଇରାନ ଓ ଆଫଗାନିସ୍ତାନ ଉପରେ ନିର୍ଭର କରିଥାଏ । ଆଫଗାନିସ୍ତାନ କେସରର ଚାହିଦା ଭାରତରେ ଅଧିକ । କାରଣ ଏହାର ସୁଗନ୍ଧ ବେଶ ମନମୁଗ୍ଧକର ।
ସେପଟେ କାଶ୍ମୀରର କେସରକୁ ୨୦୨୦ ରେ ଭାରତ ସରକାର ଜିଆଇ ଟ୍ୟାଗ୍ ଦେଇଥିଲେ । ଏହାପରେ ସରକାର ଲଗାତାର ଭାବେ କେସର ଚାଷୀଙ୍କୁ ପ୍ରୋତ୍ସାହନ ଦେଇଆସୁଛନ୍ତି ।