Kashmir Photograph: (KanakNews)
କନକ ବ୍ୟୁରୋ : ମଞ୍ଚ ସଜା ହୋଇଥିଲା , ତାଳି ବାଜୁଥିଲା ଏବଂ ଇସଲାମାବାଦକୁ ଲାଗୁଥିଲା ଯେ କୂଟନୀତି ଦୌଡ଼ରେ ସେ ଆଗରେ । କିନ୍ତୁ ଠିକ୍ ସେତେବେଳେ ଆମେରିକା ପାଦ ଚିପି ଚିପି ଆସି ଏମିତି ଚାପୁଡ଼ା ପକାଇଲା ଯେ ପାକିସ୍ତାନର ପୂରା ବୟାନବାଜି ନିମିଶକରେ ପବନରେ ଉଡ଼ିଗଲା ।
ଆଗକୁ ପଢ଼ନ୍ତୁ : ଘରକୁ ଘର ବୁଲି ଜିନିଷ ବିକିଲେ : ୨୦ ପିଲାଙ୍କୁ ନର୍କରୁ ଉଦ୍ଧାର କଲେ , କିଏ ଏହି ରିୟଲ୍ ଲାଇଫ୍ ମର୍ଦ୍ଦାନୀ ?
ପ୍ରକୃତ ଘଟଣା ହେଉଛି ଭାରତ-ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ଘୋଷଣା କରାଯାଇଥିଲା । ଯେଉଁଥିରେ ଆମେରିକା ଭାରତର ଏକ ସରକାରୀ ମାନଚିତ୍ର ଜାରି କରିଥିଲା ଯାହା ବର୍ତ୍ତମାନ ଉଭୟ ପାକିସ୍ତାନ ଓ ଚୀନର ଅସୁବିଧାକୁ ବଢ଼ାଇଛି । ଏହି ମାନଚିତ୍ରରେ ଜମ୍ମୁ-କାଶ୍ମୀର, ପିଓକେ ସମେତ ଭାରତର ଅନେକ ଅଂଶ ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ ବର୍ଷ ବର୍ଷରୁ ଚୀନ ଯେଉଁ ଅଞ୍ଚଳ ଉପରେ ନିଜର ହକ୍ ଜାହିର କରୁଛି ଯାହାକୁ ଅକ୍ସାଇ ଚୀନ୍ ବୋଲି କୁହାଯାଏ ତାକୁ ମଧ୍ୟ ଏହି ମାନଚିତ୍ରରେ ଦେଖିବାକୁ ମିଳିଥିଲା । ଏହାକୁ ଟେକନିକ୍ ଅସୁବିଧା ବା ଗ୍ରାଫିକ୍ ଡିଜାଇନରେ ଭୁଲ୍ ବୋଲି କୁହାଯାଇନପାରେ ବରଂ ଉଭୟ ପାକିସ୍ତାନ ଏବଂ ଚୀନକୁ ଏହା ସିଧା ସିଧା କୂଟନୈତିକ ସନ୍ଦେଶ ଦେଉଛି । 'କାଶ୍ମୀର ସଂହତି ଦିବସ' ଅବସରରେ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପିଓକେ ବିଧାନସଭାରେ ଭାଷଣ ଦେଇ କହିଥିଲେ ଯେ କାଶ୍ମୀର ହେଉଛି ପାକିସ୍ତାନର ଶିରା । ଆଉ ଏବେ ଶେହବାଜଙ୍କ ଭ୍ରମକୁ ଭାଙ୍ଗିଛି ଆମେରିକା । ଆମେରିକା ଦେଇଥିବା ଏହି ମାନଚିତ୍ର ଦର୍ଶାଉଛି ଯେ କାଶ୍ମୀର ପାକିସ୍ତାନର ଶିରା ନୁହେଁ ବରଂ ଭାରତର ସମ୍ପତ୍ତି । ଜମ୍ମୁ-କାଶ୍ମୀର, ଲଦାଖ ଭାରତର ଅଂଶ ଥିଲା, ଅଛି ଏବଂ ରହିବ । ଏବେ ଆମେରିକାର ଏହି ପଦକ୍ଷେପ ପ୍ରତ୍ୟେକ ଅନ୍ତର୍ଜାତୀୟ ମଞ୍ଚରେ କାଶ୍ମୀରକୁ 'ବିବାଦୀୟ' କହି ପାକିସ୍ତାନର ରାଜନୈତିକ ଏଜେଣ୍ଡାକୁ ପ୍ରୋତ୍ସାହିତ କରିବାର ଦୀର୍ଘକାଳୀନ ରଣନୀତିକୁ ଏକ ଶକ୍ତ ଆଘାତ ଦେଇଛି ।
ମାନଚିତ୍ରରେ ଅକ୍ସାଇ ଚୀନକୁ ଭାରତର ଅଂଶ ଭାବରେ ଦର୍ଶାଯିବା ମଧ୍ୟ ଚୀନ୍ ପାଇଁ ଏକ ବଡ଼ ଆଘାତ । ଚୀନ୍ ବର୍ଷ ବର୍ଷ ଧରି ଏହି ଅଞ୍ଚଳକୁ ନିଜର ବୋଲି ଦାବି କରିଆସୁଛି ଏବଂ ଭାରତ ଏହାକୁ ଏକ ଅବୈଧ ଦଖଲ ବୋଲି କହୁଛି । ଭାରତ ଏବଂ ଆମେରିକା ସେମାନଙ୍କ ସମ୍ପର୍କକୁ ପୁନଃସ୍ଥାପିତ କରୁଥିବା ବେଳେ ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଆମେରିକା ଭାରତର ଆଞ୍ଚଳିକ ସାର୍ବଭୌମତ୍ୱକୁ ଏତେ ସ୍ପଷ୍ଟ ଭାବରେ ଦାବି କରିଛି । ଗତ କିଛି ମାସ ଧରି ପାକିସ୍ତାନ ଆମେରିକାରେ ପ୍ରବଳ ଲବିଂ କରିଛି । ସେନା ମୁଖ୍ୟ ଅସୀମ ମୁନିରଙ୍କ ୱାଶିଂଟନକୁ ବାରମ୍ବାର ଗସ୍ତ, ଟ୍ରମ୍ପଙ୍କ ସହ ବୈଠକ ଏବଂ ମଧ୍ୟାହ୍ନ ଭୋଜନ କୂଟନୀତି ସବୁ ଚେଷ୍ଟା କରାଯାଇଛି । କିନ୍ତୁ ଫଳାଫଳ ଶୂନ । ମାତ୍ର ଗୋଟିଏ ଫଟୋରେ ପାକିସ୍ତାନର କୂଟନୈତିକ ପ୍ରୟାସକୁ ମାଟିରେ ମିଶାଇ ଦେଇଛି ଆମେରିକା ।
Follow Us