କନକ ବ୍ୟୁରୋ: ‘ଡିଅର କ୍ରିକେଟ୍, ଗିଭ୍ ମି ୱାନ୍ ମୋର ଚାନ୍ସ’ । ଡିସେମ୍ୱର ୧୦, ୨୦୨୨ରେ ଏହି ଟ୍ୱିଟ୍ କରିଥିଲେ କରୁଣ ନାଏର । କ୍ରିକେଟକୁ ମାଗିଥିଲେ ଆଉ ଏକ ସୁଯୋଗ । ତାଙ୍କୁ ସୁଯୋଗ ତ ମିଳିଗଲା, କିନ୍ତୁ ନିଜକୁ ପ୍ରମାଣିତ କରିପାରୁନାହାନ୍ତି କରୁଣ । ଆଇପିଏଲରେ ବି ଫେଲ୍, ଇଂଲଣ୍ଡ ଗସ୍ତରେ ବି ସେମିତି କିଛି ଖାସ୍ ପ୍ରଦର୍ଶନ ନାହିଁ । ଇଂଲଣ୍ଡରେ ଏପର୍ଯ୍ୟନ୍ତ ନିରବ ରହିଛି କରୁଣଙ୍କ ବ୍ୟାଟ୍ ।
କରୁଣଙ୍କ ବ୍ୟାଟ୍ କେବେ କରିବ କମାଲ? ବାରମ୍ବାର ବିଫଳ ହେବା ପରେ ଆରମ୍ଭ ହେଲାଣି ସମାଲୋଚନା । ଟିମ୍ ଇଣ୍ଡିଆ ପାଇଁ ଖେଳିବା ପ୍ରତିଟି ଖେଳାଳୀଙ୍କ ସ୍ୱପ୍ନ ଥାଏ । କିନ୍ତୁ ସମସ୍ତଙ୍କୁ ଏ ସୁଯୋଗ ମିଳେନି । ଆଉ ଯେଉଁମାନେ ସୁଯୋଗ ପାଇ ବି ବିଫଳ ହେଉଛନ୍ତି, ସମାଲୋଚନାର ଶିକାର ତ ନିଶ୍ଚୟ ହେବେ । ୮ ବର୍ଷ ପରେ ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିଛନ୍ତି କରୁଣ । ଇଂଲଣ୍ଡ ଗସ୍ତ ପାଇଁ ଯେତେବେଳେ କରୁଣଙ୍କ ନାଁ ଚୟନ ହୋଇଥିଲା, ତାଙ୍କଠୁ ବହୁତ କିଛି ଆଶା ରଖିଥିଲେ ସବୁ କ୍ରିକେଟପ୍ରେମୀ । ପ୍ରଥମ ଏବଂ ଦ୍ୱିତୀୟ ଟେଷ୍ଟରେ ନିରାଶ କରିବା ପରେ ଲର୍ଡସରେ ମଧ୍ୟ ଦୁଇଟି ଯାକ ଇନିଂସରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି କରୁଣ । ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲ କରିଥିବା କରୁଣ, ଏହି ସିରିଜର ଗୋଟିଏ ଇନିଂସରେ ମଧ୍ୟ ୫୦ ରନ୍ ଛୁଇଁପାରିନାହାନ୍ତି । ନଜର ପକାନ୍ତୁ ଇଂଲଣ୍ଡ ଗସ୍ତରେ କେମିତି ରହିଛି କରୁଣଙ୍କ ପ୍ରଦର୍ଶନ ।
ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନକୁ ଫେରିଯାଇଥିଲେ କରୁଣ । ଦ୍ୱିତୀୟ ଇନିଂସରେ ମାତ୍ର ୨୦ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ଦ୍ୱିତୀୟ ଟେଷ୍ଟର ଦୁଇଟି ଇନିଂସରେ ଯଥାକ୍ରମେ ୩୧ରନ୍ ଓ ୨୬ରନ୍ କରିଥିଲେ । ଲର୍ଡସ ଟେଷ୍ଟରେ ପ୍ରଥମ ଇନିଂସରେ ୪୦ରନ୍ କରିଥିବାବେଳେ ଦ୍ୱିତୀୟ ଇନିଂସରେ ମାତ୍ର ୧୪ ରନ୍ କରି ଆଉଟ୍ ହୋଇଥିଲେ କରୁଣ ନାଏର ।
୩ଟେଷ୍ଟରେ ୬ଟି ଇନିଂସରୁ ମାତ୍ର ୧୩୧ ରନ୍ କରିଛନ୍ତି କରୁଣ ନାଏର । ସବୁଠୁ ବଡ଼ କଥା ହେଉଛି, ଖରାପ ସଟ୍ ଖେଳି ଆଉଟ୍ ହେବା କ୍ରୀଡାପ୍ରେମୀଙ୍କୁ ଅଧିକ ନିରାଶ କରୁଛି । ବାରମ୍ୱାର ସୁଯୋଗ ମିଳୁଥିଲେ ମଧ୍ୟ କରୁଣଙ୍କ ବ୍ୟାଟରୁ ରନ୍ ଆସୁନି । ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିବା ପରେ ଏପର୍ଯ୍ୟନ୍ତ ନିଜକୁ ପ୍ରମାଣିତ କରିପାରିନାହାନ୍ତି କରୁଣ ।
ଘରୋଇ କ୍ରିକେଟ ଓ କାଉଣ୍ଚି କ୍ରିକେଟରେ ରନର ବର୍ଷା କରିବା ପରେ ଭାରତୀୟ ଟିମକୁ କମବ୍ୟାକ୍ କରିଥିଲେ କରୁଣ ନାଏର । ବାରମ୍ବାର ନିରାଶ କରୁଥିବାରୁ ଆଗାମୀ ଦୁଇଟି ଟେଷ୍ଟରେ ଆଉ ତାଙ୍କୁ ସୁଯୋଗ ମିଳିବ କି ନାହିଁ, ତାହା ସବୁଠୁ ବଡ଼ ପ୍ରଶ୍ନ । କାରଣ ଟିମରେ ସାଇ ସୁଦର୍ଶନ ଏବଂ ଅଭିମନ୍ୟୁ ଇଶ୍ୱରନଙ୍କ ଭଳି ବ୍ୟାଟର ମଧ୍ୟ ବେଂଚରେ ସୁଯୋଗ ଅପେକ୍ଷାରେ ଅଛନ୍ତି ।
ଲର୍ଡସ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟରଙ୍କ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ଅଧିକ ନିରାଶ କରିଛନ୍ତି କରୁଣ ନାଏର । ୩ ବର୍ଷ ତଳେ ଟ୍ୱିଟ୍ କରି କ୍ରିକେଟକୁ ସୁଯୋଗ ମାଗିଥିବା କରୁଣ, ଇଂଲଣ୍ଡରେ ବାରମ୍ୱାର ବିଫଳ ହେବା ପରେ, ତାଙ୍କ ପ୍ରଦର୍ଶନକୁ ନେଇ ସମାଲୋଚନା କରିଛନ୍ତି କ୍ରିକେଟପ୍ରେମୀ ।