କନକ ବ୍ୟୁରୋ: କରୁଣ ନାୟର... ସଂଘର୍ଷ ଭିତରେ ସଫଳତା କେମିତି ପାଇବେ ଏହି ଖେଳାଳି ତାହା ଭଲ ଭାବରେ ଜାଣିଛନ୍ତି । ଅନେକ ଦିନ ସଂଘର୍ଷ ଭିତରେ ଯେତେବେଳେ କରୁଣ ଟିମ ଇଣ୍ଡିଆକୁ ଫେରିଛନ୍ତି ଏବେ ସେ ତାଙ୍କ ସଂଘର୍ଷ ସମୟ କିଛି କଥା ସାମ୍ନାକୁ ଆଣିଛନ୍ତି । ସେ କହିଛନ୍ତି ଜଣେ ବରିଷ୍ଠ ଖେଳାଳି ମୋତେ ଅବସର ନେଇ ଟି-୨୦ ଲିଗ ଖେଳିବାକୁ ପରାମର୍ଶ ଦେଇଥିଲେ । ଯେଉଁଥିପାଇଁ ମୁଁ ଆର୍ଥିକ ଭାବେ ସୁରକ୍ଷିତ ରହିପାରିବି । ହେଲେ ପରାମର୍ଶ ପରେ ବି ହାର ମାନିନଥିଲେ କରୁଣ । ନିଜ କ୍ୟାରିୟରକୁ ପୁଣି ଟ୍ରାକକୁ ଆଣିବାକୁ ସେ କଡ଼ା ପରିଶ୍ରମ କରିଥିଲେ, ଯାହାକୁ ସେ ସଫଳତାରେ ପରିଣତ କରିଛନ୍ତି ।

Advertisment

କରୁଣ କହିଥିଲେ କି, ମୋର ଆଜି ବି ମନେ ଅଛି ଯେତେବେଳେ ମୋତେ ଜଣେ ବରିଷ୍ଠ ଖେଳାଳି ଫୋନ କରି କହିଥିଲେ ଏବେ ଅବସର ନେଇଯାଅ । ଟି-୨୦ ଲିଗରେ ବହୁତ ଟଙ୍କା ମିଳିବ ଯାହା ତୁମକୁ ସୁରକ୍ଷିତ ରଖିବ । ମୁଁ ସେତେବେଳେ ଚିନ୍ତା କରିଥିଲି ଯେତେ ବି ଟଙ୍କା ମିଳୁ ମୁଁ କେବେ ହାର ମାନିବିନି । ମୁଁ କେବେ ଭାରତ ପାଇଁ ଆଉ ଖେଳିବାର ସ୍ବପ୍ନ ଛାଡ଼ିନଥିଲି । ଆଉ ସେଥିପାଇଁ ଆଜି ମୁଁ ଏଠି ପହଞ୍ଚିଛି । ଯଦି ୨ ବର୍ଷ ପୂର୍ବରୁ ମୁଁ ହାର ମାନିଯାଇଥାଆନ୍ତି ତେବେ ମୋ ସ୍ଥାନରେ ଆଉ କିଏ ଥାଆନ୍ତା । 

୨୦୧୬ ମସିହାରେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ କରୁଣ ନାୟର । ଭାରତ ପାଇଁ ଟେଷ୍ଟରେ ସେ ଦ୍ବିତୀୟ ଖେଳାଳି ଭାବେ ତ୍ରିଶତକ ହାସଲ କରିଥିଲେ । ସେହୱାଗଙ୍କ ପରେ ନାୟର ହିଁ ଏକମାତ୍ର ଖେଳାଳି ଯିଏ ଏହି ଉପଲବ୍ଧି ହାସଲ କରିଥିଲେ । ହେଲେ ଅଚାନକ ତାଙ୍କୁ ଡ୍ରପ୍ କରାଯାଇଥିଲା । ପ୍ରାୟ ୭ ବର୍ଷ ଧରି ସେ ଦଳରେ ସ୍ଥାନ ପାଇନଥିଲେ କି ଆଇପିଏଲରେ ବି ତାଙ୍କୁ ସୁଯୋଗ ମିଳିନଥିଲା । 

ଦୀର୍ଘ ୭ ବର୍ଷ ଧରି ସେ ସଂଘର୍ଷ କରିଥିଲେ କେମିତି ଟିମ୍ ଇଣ୍ଡିଆକୁ ଫେରିବେ । ୨୦୨୪-୨୫ ଘରୋଇ ସିଜିନ ତାଙ୍କ ପାଇଁ ଆଶା ନେଇ ଆସିଥିଲା । ଘରୋଇ ଫର୍ମାଟରେ ଦମଦାର ପ୍ରଦର୍ଶନ ପରେ ତାଙ୍କୁ ଆଇପିଏଲରେ ଦିଲ୍ଲୀ ନିଜ ଦଳରେ ସ୍ଥାନ ଦେଇଥିଲା । ଆଉ ସୁଯୋଗ ମିଳିବା ପରେ ସେ ଆଇପିଏଲରେ ବି ଚମତ୍କାର ପ୍ରଦର୍ଶନ କରିଥିଲେ । ମୁମ୍ବାଇ ବିପକ୍ଷରେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । 

ତାଙ୍କ ପ୍ରଦର୍ଶନରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ବେଶ ସନ୍ତୁଷ୍ଟ ଥିଲେ । ଆଉ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କ ନାଁ ଘୋଷଣା ହୋଇଛି । ଆଉ ଏବେ ତାଙ୍କ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବାର ସମ୍ଭାବନା ମଧ୍ୟ ଅଧିକ ରହିଛି । ତେବେ ଜଣେ ଖେଳାଳି ନିଜ କ୍ୟାରିୟର ଆରମ୍ଭରୁ ଏତେ ଭଲ ପ୍ରଦର୍ଶନ କରି ଡ୍ରପ୍ ହେବା ଆଉ ଏତେ ସଂଘର୍ଷ ପରେ ପୁଣି ଟ୍ରାକକୁ ଫେରିବା ନିହାତି ପ୍ରଶଂସାର ବିଷୟ ।