କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି । ଶ୍ରୀ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ । ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ବେଶ ଦର୍ଶନ କରି ସାନ୍ନିଧ୍ୟ ଲାଭ କରିଛନ୍ତି । ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଆଜିଠାରୁ ମହାପ୍ରଭୁଙ୍କ ନିକଟରେ ବାଳଭୋଗ ନୀତି ଆରମ୍ଭ ହୋଇଛି । ସେପଟେ ଶ୍ରୀକ୍ଷେତ୍ରରେ କିଛି ମହିଳା ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି । 

Advertisment

ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି । ସକାଳେ ଦ୍ୱାରଫିଟା ନୀତି ସମ୍ପନ୍ନ ପରେ ଅନ୍ୟାନ୍ୟ ନୀତି କରାଯାଇଥିଲା । ଶ୍ରୀ ରାଇଦାମୋଦର ବେଶ ସହ ବାଳଧୂପ ନୀତି ବଢ଼ିଥିଲା । ମହାପ୍ରଭୁ ଆଜିଠାରୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀ ଏହି ବେଶ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି । କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ବାଳଭୋଗ ଲାଗି ହେବାର ପରମ୍ପରା ରହିଛି । ସେପଟେ ଆଜି ଶ୍ରୀମନ୍ଦିର ସେବାୟତ ଓ ପୁରୀର ମହିଳା ମାନେ ସଙ୍କଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି ।  


କୁମାର ପୂର୍ଣ୍ଣିମା ପରଦିନଠୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଶ୍ରୀକ୍ଷେତ୍ରରେ ସବୁବର୍ଷ ଭଳି ଏବର୍ଷ ମଧ୍ୟ ହବିଷିଆଳିଙ୍କ ପାଇଁ କରାଯାଇଛି ନିଃଶୁଳ୍କ ରହଣି ବ୍ୟବସ୍ଥା । ଯେଉଁମାନେ ଏଥିରେ ପଞ୍ଜୀକରଣ କରିଛନ୍ତି, ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ବ୍ରତଧାରୀ ମାନେ ମାସେ କାଳ ୪ଟି ହବିଷିଆଳି ନିବାସରେ ରହି ବ୍ରତ ପାଳନ କରିବେ । ଗତବର୍ଷର ଅଭିଜ୍ଞତା ଆଧାରରେ ଏବର୍ଷ ଆହୁରି ଭଲ ଭାବେ ଏହାକୁ ପରିଚାଳନା କରିବାକୁ ଯୋଜନା କରିଛି ଶ୍ରୀମନ୍ଦିର ପ୍ରଶାସନ ।  ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଓ ହବିଷିଆଳିଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା । ହବିଷିଆଳିଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦେଇଛି ପ୍ରଶାସନ ।