କନକ ବ୍ୟୁରୋ : ଧର୍ମର ମାସ କାର୍ତ୍ତିକର ଆରମ୍ଭ ହୋଇସାରିଛି । ଅକ୍ଟୋବର ୮ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହେବ ଏହି ପବିତ୍ର ମାସ । ଏହି ସମୟରେ ପ୍ରଭୁ ଶ୍ରୀହରି ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ନଭେମ୍ବର ୧ ତାରିଖରେ ଦେବୁଥାନି ଏକାଦଶୀରେ ଯୋଗ ନିଦ୍ରାରୁ ଜାଗ୍ରତ ହେବେ । କାର୍ତ୍ତିକ ପୂର୍ଣ୍ଣିମାର ମହାସ୍ନାନ ନଭେମ୍ବର ୫ ତାରିଖରେ ହେବ । ଏହି ଦିନ ଦେବତାମାନେ ମଧ୍ୟ ଦୀପାବଳି ପାଳନ କରନ୍ତି ଏବଂ ସମଗ୍ର ବୈକୁଣ୍ଠଲୋକ ଉତ୍ସବମୁଖର ହୋଇପଡ଼େ । ସେଥିପାଇଁ ଏହାକୁ ଦେବ ଦୀପାବଳି ମଧ୍ୟ କୁହାଯାଏ । ଯଦି ଏହି ପବିତ୍ର ଦିନରେ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି ବିଶେଷ ପଦକ୍ଷେପ ନିଆଯାଏ, ତେବେ ତାହାର ପ୍ରଭାବ ତୁରନ୍ତ ପଡ଼ିଥାଏ ଏବଂ ମା’ ଧନଦାତ୍ରୀଙ୍କ ଆଶୀର୍ବାଦର କୃପା ବୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା କାର୍ତ୍ତିକ ପୂର୍ଣ୍ଣିମାରେ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କେଉଁ ଉପାୟ ଆପଣାଇବେ । 

Advertisment

ଏହି ମାସରେ ତୁଳସୀ ପୂଜା , ଦୀପ ଜଳାଇବା, ପ୍ରତିଦିନ ବୁଡ଼ ପକାଇ ସ୍ନାନ କରିବାର ବିଶେଷ ମହାତ୍ମ୍ୟ ରହିଛି । ଏହାଛଡ଼ା କାର୍ତ୍ତିକ ମାସରେ କିଛି କାମ କରିବା ଦ୍ବାରା ଆର୍ଥିକ ଅସୁବିଧାକୁ ଦୂର କରାଯାଇପାରିବ । ଧାର୍ମିକ ବିଶ୍ବାସ ଅନୁସାରେ ଏଭଳି କରିବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ । ଯେଉଁ ବ୍ୟକ୍ତି କାର୍ତ୍ତିକ ମାସରେ ଆତ୍ମସଂଯମ ରକ୍ଷା କରନ୍ତି, ପ୍ରତିଦିନ ସ୍ନାନ କରନ୍ତି ଏବଂ ଗହମ, ମୁଗ, କ୍ଷୀର, ଦହି ଏବଂ ଘିଅ ଇତ୍ୟାଦିରୁ ତିଆରି ଜିନିଷ ଦିନକୁ ଥରେ ସେବନ କରନ୍ତି ସେମାନଙ୍କର ସମସ୍ତ ପାପ ନଷ୍ଟ ହୋଇଯାଏ । କାର୍ତ୍ତିକ ମାସର ସ୍ନାନ ପାଇଁ ନଦୀକୁ ଶୁଭ ବୋଲି କୁହାଯାଏ । ଯଦି ଏହା ସମ୍ଭବ ନୁହେଁ ତେବେ ଆପଣ ଘରେ ପାଣି ସହିତ ଗଙ୍ଗା ଜଳ ମିଶାଇ ସ୍ନାନ କରିପାରିବେ । ଧର୍ମର ମାସରେ ସକାଳୁ ଶୀଘ୍ର ଉଠି ପବିତ୍ର ସ୍ନାନ କରିବା, ଭଜନ ଗାଇବା ଏବଂ ମାସ ସାରା ସାତ୍ତ୍ୱିକ ଖାଦ୍ୟ ଖାଇବା ଉଚିତ ଏବଂ ମାଂସ ଓ ମଦ୍ୟପାନଠାରୁ ଦୂରେଇ ରହିବା ଉଚିତ । ଏହା କରିବା ଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ମିଳିଥାଏ । 

ଏହି ସମୟରେ ଓସ୍ତ ଗଛ ଏବଂ ତୁଳସୀ ଗଛ ପାଖରେ ଦୀପ ଜାଳିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । କାର୍ତ୍ତିକ ମାସରେ ଗରିବ ଲୋକଙ୍କୁ ଚାଉଳ ଦାନ କରିବା ପୁଣ୍ୟର କାମ , ଏହାଦ୍ବାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ କୃପା କରନ୍ତି । ଏପରି କରିବା ଦ୍ୱାରା ଚନ୍ଦ୍ର କ୍ଲେଶ ଦୂର ହୁଏ ଏବଂ କୁଣ୍ଡଳୀରେ ଚନ୍ଦ୍ର ଅଶୁଭ ସ୍ଥିତିରେ ଥିଲେ ମଧ୍ୟ ଶୁଭ ଫଳ ମିଳିଥାଏ। ଶାସ୍ତ୍ର ଅନୁସାରେ ଏହି ମାସରେ ଦେବୀ ମା’ ଲକ୍ଷ୍ମୀ ଓସ୍ତ ଗଛରେ ବାସ କରନ୍ତି । ତେଣୁ ପାଣି ମିଶ୍ରିତ କ୍ଷୀର ଏବଂ ଗୋଲାପ ପାଖୁଡା ଓସ୍ତ ମୂଳେ ଅର୍ପଣ କରନ୍ତୁ । ଦୀପ,ଧୂପ ଦେଇ ଘର ମନ୍ଦିରରେ ଶ୍ରୀସୂକ୍ତ ପାଠ କରନ୍ତୁ । ଏହି ମାସରେ ଗୋସେବା କରନ୍ତୁ ମା’ ଲକ୍ଷ୍ମୀ ପ୍ରସନ୍ନ ହେବେ ।