କନକ ବ୍ୟୁରୋ : ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଯାହାକୁ ନେଇ ବିଭିନ୍ନ ଦେଶ କଟକଣା ମଧ୍ୟ ଲଗାଇଛନ୍ତି। ଏହାରି ଭିତରେ ଭାରତର ପ୍ରଦେଶ ରାଜ୍ୟ ଭାବେ କର୍ଣ୍ଣାଟକ ୧୬ ବର୍ଷକୁ ସାନ ପିଲାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବାକୁ ଯାଉଛି । ବିଧାନସଭାରେ ବଜେଟ୍ ଭାଷଣରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ।
ବେଙ୍ଗାଲୁରୁ ପରି ଆଇଟି ସହର ଥିବା ରାଜ୍ୟରେ ସୋସିଆଲ୍ ମିଡିଆ ଉପରେ ଲାଗିବ କଟକଣା । ବଜେଟ୍ ଭାଷଣରେ ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ରାଜ୍ୟରେ ୧୬ ବର୍ଷକୁ କମ ପିଲାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ କଟକଣା ଲାଗିବ । ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଧାନସଭାରେ ବଜେଟ୍ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି, ଏପରି କରିବାରେ ସେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପିଲାଙ୍କ ଉପରେ ମୋବାଇଲ୍ ବ୍ୟବହାରର କୁପ୍ରଭାବକୁ ରୋକିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି ।
ତେବେ ଏହାକୁ ଆଇନ କିପରି କାର୍ୟ୍ୟକାରୀ କରାଯିବ ସେନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଏହି ପଦକ୍ଷେପକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମନାକୁ ଆସିବାରେ ଲାଗିଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ପିଲାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ କଠୋର ନିୟନ୍ତ୍ରଣ ଦାବି କରିଛନ୍ତି ।
କେଉଁ ଦେଶରେ, କେତେ ବୟସର ପିଲାଙ୍କ ଉପରେ କଟକଣା
- ଅଷ୍ଟ୍ରେଲିଆ, ସ୍ପେନ, ଆୟରଲାଣ୍ଡରେ ୧୬ ବର୍ଷରୁ ସାନ ପିଲାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ କଟକଣା
- ବ୍ରିଟେନ,ନ୍ୟୁଜିଲାଣ୍ଡ, ହଲାଣ୍ଡରେ ୧୩ ବର୍ଷରୁ ସାନ ପିଲାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ କଟକଣା
- ଆମେରିକାରେ ୧୩ ବର୍ଷରୁ ସାନ ପିଲାଙ୍କୁ ସୋସିଆଲ୍ ମିଡିଆ ମନା
- ଚୀନରେ ଅଭିଭାବକଙ୍କ ସହମତିରେ ୧୮ ବର୍ଷରୁ ସାନ ପିଲାଙ୍କୁ ଅନୁମତି
ଆନ୍ଧ୍ର ପ୍ରଦେଶ ସରକାର ମଧ୍ୟ ପିଲାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବା ଲାଗି ଆଇନ ଆଣିବାକୁ ଯୋଜନା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/06/a16-2026-03-06-22-32-12.jpg)