କନକ ବ୍ୟୁରୋ: ପୁଣି ଥରେ କାଳ ହେଲା ଜନ୍ମଦିନ କେକ୍ । ଏଥର ଜଣେ କି ଦୁଇଜଣ ନୁହେଁ ବରଂ ୩ ଜଣଙ୍କର ଜୀବନ ଯାଇଛି । ଆଉ ଖବର ଆସିଛି ପୁଣି ସେହି କର୍ଣ୍ଣାଟକରୁ । ହେଲେ ଏଥର ସାଧାରଣ ଜନତା ନୁହେଁ ବରଂ ଜେଲର ୩ ଜଣ କଏଦୀଙ୍କର ଜୀବନ ଯାଇଛି । ପ୍ରଶ୍ନ, ଜେଲ ଭିତରକୁ କେକ୍ ଗଲା କେମିତି । ଆମେ ସମସ୍ତେ ଜାଣନ୍ତି ଜେଲ୍ରେ ଥିବା କଏଦୀମାନଙ୍କ ଲାଗି ବାହାରୁ ଯେଉଁ ଖାଦ୍ୟ ଯାଏ, ତାହାକୁ ଭଲରେ ପରଖା ଯାଏ । ପରେ ଯାଇ ସେ ଖାଦ୍ୟ କଏଦୀମାନେ ଖାଇଥାଆନ୍ତି । କିନ୍ତୁ ଏଇ ଘଟଣାରେ କେମିତି କଏଦୀମାନେ କେକ୍ ଖାଇଲେ ସେନେଇ ଚର୍ଚ୍ଚା ଜୋର ।
କଏଦୀଙ୍କୁ ଅନେକ ସମୟ ବିଭିନ୍ନ କାମରେ ଜେଲ ବିଭାଗ ପକ୍ଷରୁ ସାମିଲ କରାଯାଏ । ଠିକ୍ ସେମିତି, କର୍ଣ୍ଣାଟକର ଏହି କଏଦୀମାନେ ବି କେକ୍ ତିଆରିରେ ସାମିଲ ହୋଇଥିଲେ। ହେଲେ କେକ୍ ତିଆରି ସମୟରେ ବ୍ୟବହାର ହେଉଥିବା କେମିକାଲ୍ ୩ ଜଣ କଏଦୀ ଖାଇଦେଇଥିଲେ । ଏହା ଖାଇବା ପରେ ୩ ଜଣଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇଥିଲା । ସାଙ୍ଗେ ସାଙ୍ଗେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ।
କେକ୍ କେମିକାଲ ସାଙ୍ଘାତିକ
କେକ୍ ପାଇଁ ଅନେକଙ୍କ ପୂର୍ବରୁ ଜୀବନ ଯାଇଥିବା ଜଣାପଡ଼ିଛି । କାରଣ ସେଥିରେ ବ୍ୟବହୃତ କେମିକାଲ ଶରୀର ପାଇଁ ଆଦୌ ଭଲ ନୁହେଁ । ଇଏ ତ ଗଲା କେକ୍ ତିଆରି ହେବା ପରର କଥା । କିନ୍ତୁ ତିଆରି ସମୟରେ ବ୍ୟବହୃତ କେମିକାଲକୁ ଖାଇଲେ ମଣିଷର ଜୀବନ ବି ଯାଇପାରେ । ସେପଟେ ଘଟଣା ଜଣାପଡ଼ିବା ପରେ, ପୋଲିସ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି । କୁହାଯାଇଛି, କଏଦୀଙ୍କୁ କେକ୍ ତିଆରି କାମରେ ଲଗାଯାଇଥିଲା । ହେଲେ ସେମାନେ କେକ୍ର କେମିକାଲକୁ ଅଧିକ ମାତ୍ରାରେ ଖାଇଦେଇଥିଲେ । ଯାହାଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟ ବିଗିଡ଼ିଯାଇଥିଲା । ମେଡ଼ିକାଲ ନିଆଯିବା ପରେ ବି ଅତ୍ୟଧିକ କେମିକାଲ ଖାଇଥିବାରୁ ସେମାନଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡ଼ିଲା ।
କେମିତି ମଲେ କଏଦୀ
ଆରମ୍ଭ ହେଲା ତଦନ୍ତ
ଜେଲର କଏଦୀମାନଙ୍କ ମୃତ୍ୟୁ ହେବା ପରେ ତଦନ୍ତ ଆରମ୍ଭ ହୋଇଯାଇଛି । ତଦନ୍ତ ସରିଲେ ପୁରା ଘଟଣା କଣ ଥିଲା ପୋଲିସ ଯୁକ୍ତିବାଢିଛି । ସେପଟେ କଏଦୀଙ୍କ ପରିବାର ଅନେକ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, କଏଦୀମାନେ ଏମିତି କେମିତି କଲେ ? ଏହା ପଛର କାରଣ କଣ ? ଜାଣିଶୁଣି ସେମାନଙ୍କ ଜୀବନକୁ ବିପଦରେ ପକାଯାଇଥିବା ଭଳି ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।
ଜେଲ ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ
ଜେଲରେ ଥିବା ପରେ ବି କଏଦୀମାନେ ଆତ୍ମହତ୍ୟାର ଖବର ଆସିବା ପରେ ପୁରା ରାଜ୍ୟରେ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଜେଲର ସୁରକ୍ଷାକୁ ନେଇ ବି ପ୍ରଶ୍ନ ଉଙ୍କି ମାରିଲାଣି । ଘଟଣା ଗୁରୁତର ହେବା ପରେ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଜେଲରେ ଥିବା କଏଦୀ ଏମିତି କେମିତି କଲେ ଏବଂ ପୁରା ଘଟଣାରେ ଯେଉଁମାନେ ଦାୟୀ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।
ଜେଲରେ ତିନି କଏଦୀଙ୍କ ମୃତ୍ୟୁ ପରେ ସୁରକ୍ଷା ବ୍ୟବସ୍ଥାକୁ ବଢାଯିବା ସହିତ କଏଦୀଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି ପୋଲିସ । ଆଗାମୀ ଦିନରେ ଯେମିତି ଏମିତି ଘଟଣା ନଘଟେ ସେଥିପାଇଁ ବି ପୋଲସ ସଜାଗ ହୋଇଛି । ଏଠାରେ କହିରଖୁଛୁ କି, ପୂର୍ବରୁ ବି କେକ୍ ଖାଇ ଜୀବନ ଯାଇଥିବା ଖବର ସାମ୍ନାକୁ ଆସିଛି । ତେଣୁ ପୁଣି ଥରେ ଏମିତି ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି ।