କନକ ବ୍ୟୁରୋ : ଜନତାଙ୍କ ସ୍ୱାର୍ଥ ବେଳେ ଶାସକ ବିରୋଧୀ ପରସ୍ପର ଲଢେଇ କରୁଥିବା ଦେଖିବାକୁ ମିଳିଥାଏ । ହେଲେ ନିଜ ସ୍ୱାର୍ଥବେଳେ ସେମାନେ କିଭଳି ଏକାଠି ହୁଅନ୍ତି ତାହା କର୍ଣ୍ଣାଟକ ବିଧାନସଭାରେ ଦେଖିବାକୁ ମିଳିଛି । ଲାଗୁ କରାଯାଇଥିବା ଯୋଜନା ପାଇଁ ଟଙ୍କା ନାହିଁ, ଅର୍ଥ ଅଭାବରୁ ଯୋଜନାର ରୂପରେଖ ଅଧପନ୍ତରିଆ ପଡିରହିଛି । ହେଲେ ବାଚସ୍ପତି,ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି ବେଳେ ଏକାଠି ହୋଇ ୧୦ କି ୨୦ ପ୍ରତିଶତ ନୁହେଁ ସିଧାସଳଖ ଡବଲ କରାଯାଉଛି ।
କର୍ଣ୍ଣାଟକ ବିଧାନସଭାରେ ଗୃହମନ୍ତ୍ରୀ ଜି,ପରମେଶ୍ୱର ବଢୁଥିବା ବଜାର ଦରକୁ ନଜର କରି ବିଧାୟକମାନଙ୍କ ଦରମା ବୃଦ୍ଧି କରିବାକୁ ବିଧାନସଭାରେ ଏକ ପ୍ରସ୍ତାବ ଆଣିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ବିଚାର ବିମର୍ଷ କରି ବିଧାୟକମାନଙ୍କ ଦରମା ଦୁଇଗୁଣା କରିଛନ୍ତି । ମହଙ୍ଗାମାଡ ନେଇ ବିଧାନସଭାରେ ଦରମା ବଢାଇବାକୁ ଦାବି କରୁଥିବା କର୍ଣ୍ଣାଟକର ବିଧାୟକମାନଙ୍କ ସମ୍ପତ୍ତି ଉପରେ ଏକ ରିପୋର୍ଟ ଏଡିଆର୍ ଦେଇଛି । ଏହି ରିପୋର୍ଟ ମୁତାବକ କର୍ଣ୍ଣାଟକର ୧୦୦ ଜଣ ବିଧାୟକ ଏଭଳି ଅଛନ୍ତି ଯେଉଁମାନଙ୍କର ବ୍ୟକ୍ତିଗତ ସମ୍ପତ୍ତି ୧୦୦ କୋଟିରୁ ଅଧିକ ରହିଛି । ଅର୍ଥାତ ୧୦୦ ଜଣ ବିଧାୟକଙ୍କ ମଧ୍ୟରେ ପ୍ରତି ବିଧାୟକଙ୍କ ପାଖରେ ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି । ଏହାସହ ଦେଶର ସର୍ବାଧିକ ଧନୀ ବିଧାୟକଙ୍କ ମଧ୍ୟରୁ ୪ ଜଣ ବିଧାୟକ କର୍ଣ୍ଣାଟକ ବିଧାନସଭାରେ ରହିଛନ୍ତି । ସେହିଭଳି କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ମୋଟ ସମ୍ପତ୍ତି ୧୪୧୩ କୋଟି ସହ ସେ ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ଧନୀ ବିଧାୟକ ।
ଏବେ ଆସନ୍ତୁ ଜାଣିବା କର୍ଣ୍ଣାଟକର ମନ୍ତ୍ରୀ, ବାଚସ୍ପତି ଓ ବିଧାୟକଙ୍କ ଦରମା କେତେ ଥିଲା ଓ ଏବେ କେତେ ହେଲା । ଏହି ବିଧେୟକ ପାରିତ ହେବା ପରେ କର୍ଣ୍ଣାଟକ ଏମଏଲସିଙ୍କ ଦରମା ୪୦ ହଜାରରୁ ବଢି ୮୦ ହଜାରରେ ପହଂଚିବ । ମନ୍ତ୍ରୀମାନଙ୍କର ଦରମା ୬୦ ହଜାରରୁ ବୃଦ୍ଧିପାଇ ୧ ଲକ୍ଷ ୨୫ ହଜାର ହେବ । ମୁଖ୍ୟମନ୍ତ୍ରୀଙ୍କ ଦରମା ୭୫ ହଜାରରୁ ବୃଦ୍ଧି ପାଇ ୧.୫ ଲକ୍ଷ ହେବ ।