କନକ ବ୍ୟୁରୋ : ଦେଖିବାକୁ ଯେମିତି ଆକର୍ଷଣୀୟ, ଦିମାଗରେ ମଧ୍ୟ ସେତିକି ସାତିର । ଅଭିନୟରେ ଦର୍ଶକଙ୍କୁ ଯେମିତି ବାନ୍ଧି ରଖୁଥିଲେ ଠିକ ସେମିତି ଦୀର୍ଘ ଦିନ ହେବ ପୁଲିସକୁ ଭୁଆଁ ବୁଲାଉଥିଲେ ।ବେଶ କିଛି ଦିନ ଧରି ଚାଲିଥିବା ଚୋର ପୁଲିସ ଖେଳ ଏବେ ଶେଷ ହୋଇଛି । ପୁଲିସ ହାତକୁ ଆସିଛି ସୁନ୍ଦରୀ ସୁନା ସ୍ମଗଲର ରାନ୍ୟା ରାଓ । ସବୁଠୁ ଆଶ୍ଚର୍ୟ୍ୟର କଥା ହେଉଛି ରାନ୍ୟା ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ଓ ବାପା ଜଣେ ଆଇପିଏସ ଅଧିକାରୀ ।ଦୁବାଇରୁ ୧୫କେଜି ସୁନା ନେଇ ଆସୁଥିବା ସମୟରେ ବିମାନବନ୍ଦର କଷ୍ଟମ ଅଧିକାରୀଙ୍କ ହାତରେ ଧରାପଡିବା ପରେ ତାଙ୍କୁ ଧରିଥିଲା ଡିରେକ୍ଟର ଅଫ ରେଭିନ୍ୟୁ ଇଂଟିଲେଜିନ୍ସ । ସୂଚନା ଅନୁସାରେ ରାନ୍ୟାଙ୍କୁ ୧୪ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି । ସେପଟେ ବେଙ୍ଗାଲୁରୁ ଘରୁ ମିଳିଛି ୪କୋଟି ଟଙ୍କା ମୂଲ୍ୟର ସୁନା ଓ ନଗଦ ଟଙ୍କା ।

Advertisment

ବାପା ଆଇପିଏସ,ଝିଅ ସୁନା ସ୍ମଗଲର
-ଡିରେକ୍ଟର ଅଫ ରେଭିନ୍ୟୁ ଇଂଟିଲେଜିନ୍ସର ରାଡ଼ାରରେ ଥିଲେ ରାନ୍ୟା
-୧୫ଦିନରେ ୪ଥର ଦୁବାଇ ଯିବା ସନ୍ଦେହ ବଢ଼ାଇଥିଲା
-ତାଙ୍କୁ ଧରିବାକୁ ଡିଆରଆଇ ସ୍ବତନ୍ତ୍ର ଟିମ ଗଠନ କରିଥିଲା
-ମାର୍ଚ୍ଚ ୩ରେ ଦୁବାଇରୁ ଫେରୁଥିଲେ ରାନ୍ୟା
-ପୂର୍ବରୁ ବିମାନବନ୍ଦରେ ଜଗି ରହିଥିଲେ ଅଧିକାରୀ
-ସଂଧ୍ୟା ୭ଟାରେ ରାନ୍ୟାଙ୍କୁ ଗିରଫ କରାଯାଇଥିଲା
-ବହୁମାତ୍ରାର ଅଳଙ୍କାର ପିନ୍ଧିବା ସହ ଡ୍ରେସ ଓ ବେଲ୍ଟରେ ଲୁଚାଇଥିଲେ ସୁନା

ତେବେ ବିମାନବନ୍ଦରରେ ଅଧିକାରୀଙ୍କୁ ନାଲି ଆଖି ଦେଖାଇବା ସହ ପୁଲିସର ଧମକ ମଧ୍ୟ ଦେଇଥିଲେ ରାନ୍ୟା । ସେ ଜଣେ ଆଇପିଏସ ଅଧିକାରୀଙ୍କ ଝିଅ ବୋଲି ତାଙ୍କ କନଟାକ୍ଟ ଲିଷ୍ଟରୁ ଜଣାପଡିଥିଲା । ତେବେ ୨୦୧୪ ମସିହାରେ କନ୍ନଡ ସିନେମାରେ ପାଦ ରଖିଥିଲେ ରାନ୍ୟା । ପରେ ୨୦୧୬ତାମିଲ ସିନେମାରେ ଅଭିନୟ କରିଥିଲେ । ଏଥିସହ ମଡେଲିଂ ଦୁନିଆରେ ମଧ୍ୟ ସେ ଜଣେ ଜଣାଶୁଣା ଚେହେରା । ପରିବାର ପ୍ରତିଷ୍ଠା ପାଇଁ କର୍ଣ୍ଣାଟକରେ ତାଙ୍କର ଖୁବ ଦବଦବା ରହିଛି । ସେପଟେ ଆଇପିଏସ ଅଧିକାରୀ ତଥା ବାପା କହିଛନ୍ତି ୪ମାସ ପୂର୍ବରୁ ବିବାହ କରିବା ପରେ ଝିଅ  ତାଙ୍କର କୌଣସି ସର୍ମ୍ପକ  ରଖିନି । ଯଦି ସେ ଦୋଷୀ ତା ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।