କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ଏବେ ଦଳ ଭିତରେ ଅସନ୍ତୋଷର ମାହୋଲ ରହିଛି । ଆଉ ଏହାରି ଭିତରେ କର୍ଣ୍ଣାଟକ ରାଜନୀତିରେ ଦେଖିବାକୁ ମିଳିଛି ବଡ଼ ହଲଚଲ୍ । କର୍ଣ୍ଣାଟକରେ ଏବେ କଂଗ୍ରେସ ସରକାର ଥିବାବେଳେ, ସେଠାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ-ମୁଖ୍ୟମନ୍ତ୍ରୀ ଡି କେ ଶିବକୁମାରଙ୍କ ଗୋଷ୍ଠୀ ଭିତରେ ସତ୍ତାକୁ ଆରମ୍ଭ ହୋଇଛି କଳି । ଦୁଇ ନେତାଙ୍କ ଭିତରେ ଚାଲିଥିବା ଏହି ଶୀତଳ ଯୁଦ୍ଧ ଏବେ କର୍ଣ୍ଣାଟକ ସୀମା ପାର୍ କରି ଦିଲ୍ଲୀରେ ପହଞ୍ଚିଛି । ଆଉ କଂଗ୍ରେସର ହାଇକମାଣ୍ଡ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

Advertisment

ମିଳିଥିବା ସୂଚନା ଅନୁସାରେ, ଡିକେ ଶିବକୁମାରଙ୍କ ଗୋଷ୍ଠୀର ୧୦ ଜଣ ବିଧାୟକ ଦିଲ୍ଲୀରେ ପହଞ୍ଚିବା ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେଙ୍କୁ ଭେଟିଛନ୍ତି । ତେବେ ଏହି ଭେଟଘାଟ ଏପରି ଏକ ସମୟରେ ହୋଇଛି, ଯେତେବେଳେ କି କର୍ଣ୍ଣାଟକରେ ସିଦ୍ଧରୈମୟା ସରକାରକୁ ଅଢ଼େଇ ବର୍ଷ ପୂରା ହୋଇଛି । ଶିବକୁମାରଙ୍କ ଗୋଷ୍ଠୀର ବିଧାୟକଙ୍କ କହିବା କଥା, କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ହେବା ଉଚିତ । ଅନ୍ୟପଟେ ଶିବକୁମାର ନିଜେ କିନ୍ତୁ ଏ ସମ୍ପର୍କରେ କିଛି ବି କହିନାହାଁନ୍ତି । ହେଲେ ତାଙ୍କ ସମର୍ଥକମାନେ କିନ୍ତୁ ଦିଲ୍ଲୀରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଜୋରଦାର ଲବି ଚଳାଇଛନ୍ତି ।

ଆହୁରି ପଢ଼ନ୍ତୁ : ପାକିସ୍ତାନର ବଡ଼ ଧରଣର ବିସ୍ପୋରଣ,  ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ

ବିଧାୟକ କହିଲେ ଏମିତି...

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦିଲ୍ଲୀରେ ପହଞ୍ଚିଥିବା ବିଧାୟକ ଟିଡି ରାଜେଗୌଡା କହିଛନ୍ତି, "ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବ କି ନାହିଁ ତାହା ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ। ମୁଁ ଶୀର୍ଷ ନେତୃତ୍ୱ ସହିତ ଅଛି । ମୋତେ କ୍ୟାବିନେଟ୍ ପୁନର୍ଗଠନରେ ସୁଯୋଗ ମିଳିବା ଉଚିତ। ମୁଁ ନିଜେ ମନ୍ତ୍ରୀ ହେବାକୁ ଚାହୁଁଛି। ମୁଁ ନିଜ ପାଇଁ ଦିଲ୍ଲୀ ଆସିଛି। ମୁଁ ହାଇକମାଣ୍ଡଙ୍କୁ ଏହା କହିଛି।"

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବଡ଼ ଦାବି

କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ସମ୍ପର୍କରେ କଳ୍ପନାଜଳ୍ପନା ମଧ୍ୟରେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ୨୦୨୫ ବଜେଟ୍ ଉପସ୍ଥାପନ କରିବେ। ସେ "ନଭେମ୍ବର ବିପ୍ଳବ" ଭଳି କଳ୍ପନାଜଳ୍ପନାକୁ ଖାରଜ କରି କହିଛନ୍ତି ଯେ, ଏପରି ଆଲୋଚନା ଗଣମାଧ୍ୟମର ସୃଷ୍ଟି। ସେ ଦାବି କରିଛନ୍ତି ଯେ, କଂଗ୍ରେସ ଦଳ ତାଙ୍କୁ ପାଞ୍ଚ ବର୍ଷର ଜନାଦେଶ ଦେଇଛି ଏବଂ ସେ ମୁଖ୍ୟମନ୍ତ୍ରୀ ଭାବରେ ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି । 

ସୂଚନାଯୋଗ୍ୟ ଯେ, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ପାଓ୍ୱାର ସେୟାରିଂ ଫର୍ମୁଲାରେ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଅଙ୍କ କଷୁଛନ୍ତି । ସେହି ଅନୁସାରେ ଅଢ଼େଇ ବର୍ଷରେ ସିଦ୍ଦରମୈୟାଙ୍କ ପାଖରୁ କ୍ଷମତା ଆସି, ତାଙ୍କ ପାଖରେ ପହଞ୍ଚିବା କଥା । ହେଲେ ସେମିତି କିଛି ବି ହେଇନି । ତେଣୁ ତାଙ୍କ ଗୋଷ୍ଠୀର ବିଧାୟକମାନେ ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି । ତେଣୁ ଦେଖିବାକୁ ବାକି ରହିଲା କର୍ଣ୍ଣାଟକ ରାଜନୀତି ଏବେ କେଉଁ ମୋଡ଼ ନେଉଛି ?