କନକ ବ୍ୟୁରୋ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦବିକୁ ନେଇ ପୁଣି ବିବାଦ । ଏନେଇ ସିଦ୍ଦରମୈୟା ଓ ଡି.କେ ଶିବକୁମାର ପୁଣି ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁଯାୟୀ, ସିଦ୍ଦରମେୟା ଅଢ଼େଇ ବର୍ଷ ଓ ଡି.କେ ଶିବକୁମାର ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ରହିବା କଥା । ଆସନ୍ତା ନଭେମ୍ବର ମାସରେ ସିଦ୍ଦରମୈୟାଙ୍କ ଅଢ଼େଇ ବର୍ଷ ପୂରିବାକୁ ଯାଉଥିବାରୁ ବିବାଦର ସୂତ୍ରପାତ ହୋଇଛି ।
୨୦୨୩ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିବା ପରେ ମୁଖ୍ୟମନ୍ତ୍ରୀ ପଦବି ନେଇ ବିବାଦ ସୃଷ୍ଟି ହୋଇଥିଲା । ସିଦ୍ଦରମୈୟା ଓ ଡି.କ ଶିବକୁମାର ମୁହାଁମୁହିଁ ହୋଇଥିଲେ। କଂଗ୍ରେସ ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଥିଲା । ନିଷ୍ପତ୍ତି ଅନୁସାରେ, ପ୍ରଥମ ଅଢ଼େଇ ବର୍ଷ ପାଇଁ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଓ ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଅଛନ୍ତି । ତେବେ ଆସନ୍ତା ନଭେମ୍ୱର ମାସରେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେବାର ଅଢ଼େଇ ବର୍ଷ ପୂରୁଛି । ତା’ପରେ ଡି.କ ଶିବକୁମାର ମୁଖ୍ୟମନ୍ତ୍ରୀ ହେବା କଥା । କିନ୍ତୁ ସିଦ୍ଦରମୈୟା ଏବେ ଭିନ୍ନ ଯୁକ୍ତି ବାଢୁଛନ୍ତି । ଏନେଇ ଦଳରେ କନ୍ଦଳ ସୃଷ୍ଟି ହୋଇଛି । ପୁଣି ସିଦ୍ଦରମୈୟା ଓ ଡି.କେ ଶିବକୁମାର ମୁହାଁମୁହିଁ ହୋଇଛନ୍ତି । ସିଦ୍ଦରମୈୟାଙ୍କ କହିବା କଥା, ନେତା ବାଛିବାରେ ଉଭୟ ବିଧାୟକ ଦଳ ଓ ହାଇକମାଣ୍ଡଙ୍କ ଭୂମିକା ରହିଛି । କିନ୍ତୁ ଡି.କେ ଶିବକୁମାର କହିଛନ୍ତି, ହାଇକମାଣ୍ଡ ହିଁ ଚୂଡ଼ାନ୍ତ ନେତା ବାଛନ୍ତି । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ଡି.କେ ଶିବକୁମାରଙ୍କର ଭଲ ସମ୍ପର୍କ ରହିଛି । ତେଣୁ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଶିବକୁମାର ଆଶାବାଦୀ ଅଛନ୍ତି । କିନ୍ତୁ ସିଦ୍ଦରମୈୟା ଦବି ଯିବା ଅବସ୍ଥାରେ ନାହାନ୍ତି । ଅଧିକ ବିଧାୟକଙ୍କ ସମର୍ଥନରେ ପଦବି ବଜାୟ ରଖିବେ ବୋଲି ସିଦ୍ଦରମୈୟା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି।