କନକ ବ୍ୟୁରୋ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଜମି ଦୁର୍ନୀତି ମାମଲାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ସଂସ୍ଥା ଲୋକାୟୁକ୍ତ ଏକ ମାମଲା ରୁଜୁ କରିଛନ୍ତି । ଏଫାଇଆରରେ ସିଦ୍ଦରମୈୟାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇ ଥିବାବେଳେ ତାଙ୍କ ପତ୍ନୀ ପାର୍ବତୀ, ଶଳା ମଲ୍ଲିକାର୍ଜୁନ ସ୍ୱାମୀ ଏବଂ ଜଣେ ଜମି ମାଲିକଙ୍କ ନାଁ ରହିଛି । ପ୍ରକାଶ ଥାଉକି, କର୍ଣ୍ଣାଟକର ଜଣେ ଆରଟିଆଇ କର୍ମୀ ଟି.ଜେ ଆବ୍ରାହମ ମୁଦା ଜମି ଆବଣ୍ଟନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ । ନିୟମ ଉଲ୍ଲଙ୍ଘନ କରି ସିଦ୍ଧରମୈୟାଙ୍କ ପତ୍ନୀଙ୍କୁ ମୁଦା ବହୁମୂଲ୍ୟର ସମ୍ପତ୍ତି ଦେଇଥିବା ଅଭିଯୋଗରେ ଦର୍ଶାଯାଇଥିଲା । ସେ ଏହି ଦୁର୍ନୀତିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟଙ୍କୁ ଅନୁରୋଧ କରିଥିଲେ । ଅନୁରୋଧ କ୍ରମେ ଅଗଷ୍ଟରେ ରାଜ୍ୟପାଳ ଲୋକାୟୁକ୍ତ ପୁଲିସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏହା ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ସମ୍ପୂର୍ଣ୍ଣ ରୂପେ ଭିତ୍ତିହୀନ ଏବଂ ଏହା ରାଜନୈତିକ ପ୍ରତିଶୋଧ ଓ ବିଜେପିର ଏହା ଏକ ଚାଲ୍ ଦର୍ଶାଇ ହାଇକୋର୍ଟରେ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ ସିଦ୍ଧରମୈୟା । ଦୁଇ ଦିନ ତଳେ ହାଇକୋର୍ଟ ଏଉପରେ ଶୁଣାଣି କରି ରାଜ୍ୟପାଳଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ । ରାଜ୍ୟପାଳଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ରୂପେ ସାମ୍ବିଧାନିକ । ସମ୍ବିଧାନ ନିୟମ ଅନୁସାରେ ରାଜ୍ୟପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏ ଉପରେ ଆମେ ରୋକ୍ ଲଗାଇ ପାରିବୁ ନାହିଁ ବୋଲି ହାଇକୋର୍ଟ କହିଥିଲେ । ଏହାପରେ ଆଜି ଲୋକାୟୁକ୍ତ ସିଦ୍ଦରମୈୟା, ତାଙ୍କ ପତ୍ନୀ, ଶଳା ଏବଂ ଜଣେ ଜମି ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ।
ବଢ଼ିଲା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସମସ୍ୟା । ସମ୍ପର୍କୀୟ ବି ଫଶିଲେ !
ମୁଦା ମାମଲାରେ ବଢ଼ିଲା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସମସ୍ୟା । ସିଦ୍ଦରମୈୟାଙ୍କ ବିରୋଧରେ ଲୋକାୟୁତର ମାମଲା ରୁଜୁ । ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ, ଶଳାଙ୍କ ମଧ୍ୟ ବଢ଼ିଛି ଅଡୁଆ ।