କନକ ବ୍ୟୁରୋ: ସୋସିଆଲ ମିଡିଆ କମ୍ପାନୀ ମେଟାର ମସ୍ତବଡ ଭୁଲ । ମେଟା ଲେଖିଲା,କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଉ ନାହାନ୍ତି । ଯାହାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମେଟାର ମାଲିକାନାରେ ଥିବା ଇନଷ୍ଟାଗ୍ରାମରେ ଏକ କନ୍ନଡ଼ ପୋଷ୍ଟର ସ୍ୱୟଂଚାଳିତ ଇଂରାଜୀ ଅନୁବାଦରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଉ ନାହାନ୍ତି ବୋଲି ଲେଖା ହୋଇଥିଲା ଯାହା ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁର ସୂଚନା ଦେଉଥିଲା । ଏହି ଘଟଣା ପରେ ସିଦ୍ଦରମୈୟା ସୋସିଆଲ ମିଡିଆ ପ୍ଲାଟଫର୍ମ 'X' କୁ ଏକ ଚିଠି ଲେଖି କନ୍ନଡ଼ରୁ ଇଂରାଜୀ ଅନୁବାଦ ସୁବିଧାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି ।
ସୂଚନାମୁତାବକ, ଏକ ସ୍ଥାନୀୟ କନ୍ନଡ଼ ନ୍ୟୁଜ୍ ଚ୍ୟାନେଲ୍ ନିଜ ଇନଷ୍ଟାଗ୍ରାମ ପେଜରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଏକ ଖବର ପୋଷ୍ଟ କରିଥିଲା । ଏହି ପୋଷ୍ଟରେ ସେ ବିଧାନସଭା ବାଚସ୍ପତି ୟୁ.ଟି. ଖାଦରଙ୍କୁ ଭେଟିବାକୁ ଯାଉଥିବା ବିଷୟ ଉଲ୍ଲେଖ ଥିଲା । କିନ୍ତୁ ଯେତେବେଳେ କୌଣସି ବ୍ୟବହାରକାରୀ ଇନଷ୍ଟାଗ୍ରାମର "See Translation" ବଟନ୍ ଉପରେ କ୍ଲିକ୍ କଲେ, କନ୍ନଡ଼ ଭାଷାର ପୋଷ୍ଟଟି ଭୁଲ ଭାବେ ଇଂରାଜୀରେ ଅନୁବାଦ ହୋଇଗଲା ।
ଏହି ସ୍ୱୟଂଚାଳିତ ଅନୁବାଦରେ ଲେଖାଥିଲା, “Mr. Siddaramaiah is no longer the Chief Minister.” ତେବେ "is no longer" ବାକ୍ୟାଂଶଟି କେହି ଜଣେ ମୃତ୍ୟୁବରଣ କଲେ ବ୍ୟବହାର କରାଯାଏ । ଏହି ଭୁଲ ଅନୁବାଦ ଯୋଗୁଁ ଲୋକଙ୍କ ମଧ୍ୟରେ ଏକ ବଡ଼ ବିଭ୍ରାନ୍ତି ସୃଷ୍ଟି ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ସୃଷ୍ଟି ମଧ୍ୟ ହୋଇଥିଲା ।
ସିଦ୍ଦରମୈୟାଙ୍କ କଡ଼ା ପ୍ରତିକ୍ରିୟା
ଏହି ଘଟଣା ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏହାକୁ ଗୁରୁତର ସହ ନେଇଥିଲେ ଏବଂ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ କରି ମେଟାକୁ ସମାଲୋଚନା କରିଥିଲେ । ଏହି ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଲେଖିଥିଲେ, "ମୁଁ ମେଟାକୁ ଏହି ଚିଠି ଲେଖିବାକୁ ବାଧ୍ୟ ହେଲି । କନ୍ନଡ଼ ଭାଷାର ଭୁଲ ଅନୁବାଦ କରି ମୋତେ ମୃତ ବୋଲି ଦର୍ଶାଇବା ଏକ ବଡ଼ ଭୁଲ ଏବଂ ଏହା ଗ୍ରହଣୀୟ ନୁହେଁ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା କରାଯାଉଥିବା ଅନୁବାଦର ବିଶ୍ୱସନୀୟତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତାଙ୍କ ଦାବି ଅନୁଯାୟୀ, ଯେପର୍ଯ୍ୟନ୍ତ ଏହି ବୈଷୟିକ ତ୍ରୁଟିକୁ ସମ୍ପୂର୍ଣ୍ଣ ରୂପେ ସୁଧାର ନ ଯାଇଛି, ସେପର୍ଯ୍ୟନ୍ତ କନ୍ନଡ଼ରୁ ଇଂରାଜୀକୁ ସ୍ୱୟଂଚାଳିତ ଅନୁବାଦ ସୁବିଧାକୁ ବନ୍ଦ କରାଯିବା ଉଚିତ୍ ।
ମେଟାର କ୍ଷମା ପ୍ରାର୍ଥନା
ବିବାଦ ବଢ଼ିବା ପରେ ମେଟାର ଜଣେ ମୁଖପାତ୍ର ଏହି ଘଟଣାକୁ ଏକ "ଦୁର୍ଭାଗ୍ୟପୂର୍ଣ୍ଣ ବୈଷୟିକ ତ୍ରୁଟି" ବୋଲି କହିଛନ୍ତି ଏବଂ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ଏହି ଘଟଣା ଦର୍ଶାଉଛି ଯେ ଟେକ୍ନୋଲୋଜି ଉପରେ, ବିଶେଷକରି AI ଅନୁବାଦ ଉପରେ ଅତ୍ୟଧିକ ନିର୍ଭରଶୀଳତା କେତେ ବିପଜ୍ଜନକ ହୋଇପାରେ । ଆଞ୍ଚଳିକ ଭାଷାଗୁଡ଼ିକର ସୂକ୍ଷ୍ମତା ଏବଂ ସମ୍ବେଦନଶୀଳତାକୁ ବୁଝିବାରେ AI ଏବେବି ସମ୍ପୂର୍ଣ୍ଣ ସକ୍ଷମ ହୋଇନାହିଁ, ଯାହା ଏପରି ଗମ୍ଭୀର ଭୁଲର କାରଣ ପାଲଟୁଛି ।