କନକ ବ୍ୟୁରୋ :  ମୁଦା ଜମି ଦୁର୍ନୀତି ମାମଲାରେ ଫସିଥିବା କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଲୋକାୟୁକ୍ତ କରିବେ। ଏନେଇ ଆଜି କର୍ଣ୍ଣାଟକାର ଗୋଟିଏ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ଶୁଣାଣି କରି ସ୍ୱତନ୍ତ୍ର କୋର୍ଟ ଲୋକାୟୁକ୍ତଙ୍କୁ ୩ ମାସ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି । ଏଥିସହ ଅଧିକୃତ ଅଧିକାରୀଙ୍କୁ ମୁଦା ଦୁର୍ନୀତି ପ୍ରସଙ୍ଗରେ ଗୋଟିଏ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ନାଁରେ ବିଜେପି ନେତା ଏନଆର ରମେଶ ମଧ୍ୟ ବେଙ୍ଗାଲୁରୁ ସ୍ଥିତ ଲୋକୟୁକ୍ତ ଅଫିସରେ ଗୋଟିଏ ଅଭିଯୋଗ ଦାଖଲ କରିଥିଲେ । ମୁଦା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ସେ ଦାବି କରିଥିଲେ । ଏଥିସହ ଏହି ଘଟଣା ସହ ଜଡ଼ିତ ଏକାଧିକ ଦସ୍ତାବିଜ ମଧ୍ୟ ସେ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିଥିଲେ। ମୁଦା ମାମଲାରେ ସିଦ୍ଦରମୈୟାଙ୍କୁ ମଙ୍ଗଳବାର କର୍ଣ୍ଣାଟକା ହାଇକୋର୍ଟ ବି ଝଟକା ଦେଇଥିଲେ । ତାଙ୍କ ବିରୋଧରେ ଆସିଥିବା ହେରଫେର ଅଭିଯୋଗର ତଦନ୍ତ କରିବାକୁ ରାଜ୍ୟପାଳ ଦେଇଥିବା ମଞ୍ଜୁରୀକୁ ସିଦ୍ଦରମୈୟା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଏହାକୁ କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ ।