କର୍ଣ୍ଣାଟକ କଂଗ୍ରେସ ସରକାର ମୁସଲିମ୍ ତୃଷ୍ଟୀକରଣ, ଦରବୃଦ୍ଧି ତଥା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଗତ ଏପ୍ରିଲରେ ବିଜେପି ଜନ ଆକ୍ରୋଶ ଯାତ୍ରା ନାମରେ ବିକ୍ଷୋଭ ଆରମ୍ଭ କରିଛି । ଏହି ଯାତ୍ରା ରାଜ୍ୟରେ ୧୬ ଦିନ ପଦଯାତ୍ରା କରି ସରକାରଙ୍କ ଦୋଷତ୍ରୁଟି ସାଧାରଣ ଜନତାଙ୍କୁ ଜଣାଇବ । ମାତ୍ର କୌଣସି କ୍ଷେତ୍ରରେ ନିଜ ମେଣ୍ଟ ସାଥୀ ଜେଡିଏସକୁ ସାମିଲ କରିବ ନାହିଁ ।
/kanak/media/media_files/2025/04/10/ts2iNdndUyEaUljTrNck.jpg)
ଏହି ଯାତ୍ରା ଦ୍ବାରା ମୁଖ୍ୟ ବିରୋଧୀଦଳ ହିସାବରେ ବିଜେପିକୁ ସବୁ ରାଜନୈତିକ ଫାଇଦା ଦେବାକୁ ଜେଡିଏସ୍ ଚାହୁଁନାହିଁ । କଂଗ୍ରେସ ସରକାର ଦରଦାମ୍ ବୃଦ୍ଧି ପ୍ରତିବାଦରେ ଜେଡିଏସ୍ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପ୍ରତିବାଦର ଆୟୋଜନ କରିଛି । ଯାହାକୁ ନେତୃତ୍ବ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ଓ କେନ୍ଦ୍ରମନ୍ତ୍ରୀ କୁମାରସ୍ବାମୀଙ୍କ ପୁଅ ନିଖିଲ କୁମାରସ୍ବାମୀ ନେଇଛନ୍ତି । କ୍ୟୁଆର କୋର୍ଡକୁ ସ୍କାନ୍ କରି ସାଧାରଣ ଜନତାଙ୍କୁ କଂଗ୍ରେସ ସରକାରଙ୍କ ବିରୋଧରେ ପ୍ରତିବାଦ କରିବାକୁ ଜେଡିଏସ୍ ଉଦ୍ୟମ ଆରମ୍ଭ କରିଛି ।
ଗତ ଲୋକସଭା ନିର୍ବାଚନ ସମୟରେ ଜେଡିଏସ୍ ସହ ମେଣ୍ଟ କରିବାକୁ ରାଜ୍ୟ ବିଜେପି ନେତୃବୃନ୍ଦ ଚାହୁଁନଥିଲେ । ମାତ୍ର କେନ୍ଦ୍ରୀୟ ନେତୃତ୍ବ ଯୋଗୁଁ ବାଧ୍ୟ ହୋଇ ମେଣ୍ଟ କରିବାକୁ ରାଜି ହୋଇଥିଲା ଯାହା ଲୋକସଭା ନିର୍ବାଚନରେ ପ୍ରତିଫଳନ ହୋଇଥିଲା । ବିଜେପି ଓ ଜେଡିଏସ୍ ମେଣ୍ଟ ରାଜ୍ୟର ୨୮ଟି ଆସନରୁ ୧୯ ଟିରେ ଜିତିବାକୁ ସକ୍ଷମ ହୋଇଥିଲା । ତେବେ ହାତଗଣତି କିଛି କାର୍ଯ୍ୟକ୍ରମକୁ ଛାଡିଦେଲେ ଉଭୟ ଦଳଙ୍କ ଭିତରେ କୌଣସି ସମନ୍ବୟ ଦେଖିବାକୁ ମିଳୁନି । କଂଗ୍ରେସ ସରକାରଙ୍କ ବିରୋଧରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମର ଏହାର ତାଜା ଉଦାହରଣ ।