କନକ ବ୍ୟୁରୋ: ଆଦି ସଂସ୍କୃତି, ଆଦି ପରମ୍ପରାର ବଳିଷ୍ଠ ନିଦର୍ଶନ ହେଉଛି କରମସାନୀ ପୂଜା । କରମସାନୀ ପୂଜା ଅବସରରେ ଆଦିବାସୀ ସମ୍ପ୍ରଦାୟର ଲୋକେ କରମା ଗଛର ଡାଳକୁ ଆଣି ଗାଁ ମଝିରେ ରଖି ନାନାଦି ଫୁଲଫଳ ଧୂପଦୀପ ନୈବେଦ୍ୟ ଅର୍ପଣ କରିଥା’ନ୍ତି । ପରେ ମହିଳା ପୁରୁଷ ଯୁବକ ଯୁବତୀ ଏକାକାର ହୋଇ ପାରମ୍ପରିକ ମାଦଳ, କସ୍ଥାଳ, ଠିକଡ଼ି ଆଦିର ତାଳେତାଳେ ନିଜକୁ ହଜାଇ ମସଗୁଲ ହୋଇ ନୃତ୍ୟ ପରିବେଷଣ କରିଥାନ୍ତି ।

Advertisment

ଆଦିବାସୀ ପରମ୍ପରାର ବଳିଷ୍ଠ ନିଦର୍ଶନ କରମସାନୀ ପୂଜା । ଆଦିବାସୀଙ୍କ ଦ୍ୱାରା ଆୟୋଜିତ କରମସାନୀ ପୂଜାରେ ମାଦଳ ବଜାଇ ନୃତ୍ୟ କଲେ ମନ୍ତ୍ରୀ ରବିନାରାୟଣ ନାଏକ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପଂଚମୁଖୀ ଛକ ଠାରେ କରମା ପୂଜା ପାଳିତ ହୋଇଛି । ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ମନ୍ତ୍ରୀ ସାମିଲ ହୋଇ କରମା ନୃତ୍ୟରେ ମାଦଳ ବଜାଇଥିଲେ । ପରେପରେ ଆଦିବାସୀ ମହିଳା ପୁରୁଷଙ୍କ ସହିତ ମିଶି ନୃତ୍ୟ ପରିବେଷଣ କରିଛନ୍ତି ।

ପରମ୍ପରା ଅନୁସାରେ, ଆଦିବାସୀମାନେ କରମା ଗଛକୁ ପୂଜା କରି କରମା ଡାଳ ଆଣନ୍ତି । ପରେ ସେହି ଡାଳକୁ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରିଥାନ୍ତି । ପୂଜାରେ ନୈବେଦ୍ୟ ଆକାରରେ ଲିଆ ଜୁଗାର ଏବଂ ଅନ୍ୟାନ୍ୟ ଫଳମୂଳ ଅର୍ପଣ କରାଯାଏ । ପୂଜା ପରେ ସାରା ରାତି ମାଦାଳର ତାଳେତାଳେ ନାଚଗୀତର ଆସର ଜମେ । ପରଦିନ ପୂଜା ବିସର୍ଜନ କରାଯାଏ । ଆଦିବାସୀମାନେ କରମସାନୀ ଦେବୀଙ୍କ ପାଖରେ ନିଜର କଷ୍ଟ ଜଣାଇବା ସହିତ ଅପୁତ୍ରୀକୁ ପୁତ୍ର ଓ ନିର୍ଧନୀକୁ ଧନ ଦେବା ପାଇଁ ନିଜର ନାଚ ଗୀତ ମାଧ୍ୟମରେ ଗୁହାରି କରିଥାନ୍ତି ।