କନକ ବ୍ୟୁରୋ :  ଆସୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ, ହେଲେ ଆସୁ ନାହାନ୍ତି ଛାତ୍ରଛାତ୍ରୀ । ଦେଢ଼ ମାସ ହେବ ବିଦ୍ୟାଳୟ ଶ୍ରେଣୀ ଗୃହ ଗୁଡିକରେ ଝୁଲୁଛି ତାଲା । ଅନ୍ଧାରରେ ୭୩ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଘଟଣା ପଛର କାରଣ ନେଇ ଉଠିଛି ପ୍ରଶ୍ନ । ଶିକ୍ଷା ବ୍ୟବସ୍ଥାର ଏଭଳି ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି କପ୍ତିପଦା ବ୍ଲକ ଗୋହିରା ତ୍ରିନାଥ ସଂସ୍କୃତ ବିଦ୍ୟାଳୟରୁ । ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ  ୭୩ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ହେଲେ ଗତ ଦେଢ଼  ମାସ ହେବ ଅଚାନକ ଭାବେ ବିଦ୍ୟାଳୟକୁ କୌଣସି ଛାତ୍ରଛାତ୍ରୀ ଆସୁ ନାହାନ୍ତି । ଯାହା ଫଳରେ ଏଠାରେ ପାଠ ପଢା ଠପ ହୋଇଛି । କେବଳ ବିଦ୍ୟାଳୟକୁ ଶିକ୍ଷକ ଶିକ୍ଷୟିତ୍ରୀ ଆସୁଛନ୍ତି । ୫୫ ଜଣ ଛାତ୍ରୀ ହଷ୍ଟେଲରେ ରହୁଥିବା ବେଳେ ହଷ୍ଟେଲରୁ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିଭାବକ ନେଇଯାଇଛନ୍ତି । ଅଚାନକ ଏଭଳି ଭାବେ ଛାତ୍ରଛାତ୍ରୀ ବିଦ୍ୟାଳୟ ନ ଆସିବା ଏବଂ ହଷ୍ଟେଲରୁ ପିଲାମାନଙ୍କୁ ଅଭିଭାବକମାନେ ନେଇ ଯିବା ଆଉ ବିଦ୍ୟାଳୟକୁ ନ ଆସିବା ପଛର କାରଣ ଖୋଜାଚାଲିଛି । ସେପଟେ ପାଖରେ ଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷକମାନେ ଯାଇ ବୁଝାଇ ବିଦ୍ୟାଳୟ ଆସିବାକୁ କହୁଥିଲେ ସୁଦ୍ଧା ସେମାନେ ଆସିବାକୁ ରାଜି ହେଉ ନ ଥିବା କହିଛନ୍ତି ଶିକ୍ଷୟିତ୍ରୀ । ଏପଟେ ବିଦ୍ୟାଳୟ ଶ୍ରେଣୀ ଗୃହରେ ବହି ଉପରେ ଧୂଳି ଜମିଲାଣି । ତେବେ କେଉଁ କାରଣରୁ ଏଭଳି ପରିସ୍ଥିତି ହୋଇଛି ସେ ବାବଦରେ କେହି ମୁହଁ ଫିଟାଉ ନାହାନ୍ତି ।

Advertisment