କନକ ବ୍ୟୁରୋ:  କଳାକାର କପିଲ ଶର୍ମାଙ୍କ କାଫେ ଉପରେ କିଏ ଓ କାହିଁକି ଗୁଳିମାଡ଼ କଲେ ଏନେଇ ଗତକାଲିଠୁ ଅନେକ ପ୍ରଶ୍ନ ଉଠିବା ପରେ ଆଜି କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୋଷ୍ଟୱାଣ୍ଟେଡ ଖଲିସ୍ତାନୀ ନେତା ହରଜିତ ସିଂ  ଲାଡି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।

Advertisment

କାନାଡ଼ାରେ ଥିବା ଏହି କାଫେ ଉପରେ ଗୁଳିବର୍ଷା କରି କପିଲ ଶର୍ମାଙ୍କ ସମେତ ଭାରତୀୟଙ୍କୁ ପୁଣି ବଡ ଝଟ୍‌କା ଦେଇଛି ଖଲିସ୍ତାନୀ  ସମର୍ଥକ । ଗୁରୁବାର କାଫେକୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ କରିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ଆତଙ୍କୀ । ରାତି ସମୟରେ ଗୁଳିମାଡ଼ ଯୋଗୁଁ  କ୍ଷତି ହୋଇଥିଲେ ବି କୌଣସି ମୃତାହତର ସୂଚନା ନାହିଁ । ତେବେ ଏହି ଘଟଣା କେବଳ କପିଲଙ୍କ ନୁହେଁ ତାଙ୍କ ପ୍ରଶଂସକ, ପରିବାର, କାନାଡ଼ାରେ ରହୁଥିବା ଭାରତୀୟଙ୍କ ମନରେ ଭୟ ବଢ଼ାଇଛି । ତେବେ ଏହି ଆକ୍ରମଣ ପଛରେ ରହିଛି କାନାଡ଼ାରେ ଉତ୍ପାତ ଖେଳାଇଥିବା ଖଲିସ୍ତାନୀ ନେତା ହରଜିତ ସିଂ ଓରଫ୍‌ ଲାଡି ।  କାନାଡା ପୁଲିସ ଆକ୍ରମଣ ଘଟଣାର ତଦନ୍ତ ଜାରି ରଖିଛି । ସେପଟେ ଘଟଣାକୁ ନେଇ ଭାରତରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ପୂରା ଘଟଣା ପାଇଁ କାନାଡ଼ା ସରକାରଙ୍କୁ ଦାୟୀ କରିଛନ୍ତି ବିଜେପି ନେତା ଆରପି ସିଂ । 

ଜୁଲାଇ ୭ରେ କାନାଡ଼ାରେ ଉଭୟ କପିଲ  ଓ ତାଙ୍କ ପତ୍ନୀ ଗିନି ମିଶି କାପସ କାଫେ ଖୋଲିଥିଲେ । ସେଲିବ୍ରିଟିଙ୍କ କାଫେ ହୋଇଥିବାରୁ ପ୍ରବଳ ଗହଳି ମଧ୍ୟ ଜମୁଥିଲା । ହଠାତ ଗୁଳିମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ ଖଲିସ୍ତାନୀଙ୍କ ଭାରତ ବିରୋଧୀ ଗତିବିଧି ପାଇଁ ମୋଦୀ ସରକାର ବାରମ୍ବାର କାନାଡ଼ା ସରକାରଙ୍କୁ ତାଗିଦ୍‌ କରିବା ସତ୍ତ୍ବେ ହିଂସା କମ୍‌ ହେଉନି । ସେପଟେ ଖଲିସ୍ତାନୀଙ୍କ ପାଇଁ ଉଭୟ ଦେଶର ସମ୍ପର୍କରେ ମଧ୍ୟ ତିକ୍ତତା ବଢୁଛି । ଏବେ କପିଲ ଶର୍ମାଙ୍କ କାଫେ ଉପରେ ଆକ୍ରମଣ ଭାରତ-କାନାଡା ସମ୍ପର୍କକୁ ଅଧିକ ତିକ୍ତତାପୂର୍ଣ୍ଣ କରିବା ନେଇ ସମ୍ଭାବନା ବଢ଼ିଛି ।